ମରିପଡୁଛନ୍ତି ଶହ ଶହ ଅଲିଭ୍ ରିଡଲେ କଇଁଛ

ପୁରି:ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏବେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ନିକଟରେ କୋଣାର୍କର ବେଲେଶ୍ବରଠାରୁ କୁଶଭଦ୍ରା ମୁହାଣ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ଶହ ଶହ ଅଲିଭ୍ ରିଡଲେ କଇଁଛ ମରିପଡ଼ିଥିବାର ଦେଖିବାକୁ ମିଳୁଛି ।

ସମୁଦ୍ର କୂଳରେ ମରି ପଡ଼ିଛନ୍ତି ମାଳ ମାଳ ଅଲିଭ୍ ରିଡଲେ କଇଁଛ । ବର୍ତ୍ତମାନ କୋଣାର୍କ ବେଲେଶ୍ବରଠାରୁ କୁଶଭଦ୍ରା ମୁହାଣ ପର୍ଯ୍ୟନ୍ତ ଆପଣ ଗଲେ ସମୁଦ୍ର କୂଳରେ ଆପଣଙ୍କୁ ଏଭଳି ଚିତ୍ର ଦେଖିବାକୁ ମିଳିବ । ଯିଏ ବି ଏ ଦୃଶ୍ୟ ଦେଖୁଛି, ତା’ ମନରେ ପ୍ରଶ୍ନ ଉଠୁଛି ସରକାରୀ ସ୍ତରରେ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ହୋଇଥିବା ଯୋଜନା ଗୁଡ଼ିକର ବାସ୍ତବତା କ’ଣ ?

ନଭେମ୍ବର ମାସରେ ବିରଳ ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦେବାକୁ ଗଭୀର ସମୁଦ୍ର ଭିତରୁ କୂଳକୁ ଆସିଥାନ୍ତି । ଏହି ସମୟରେ କୂଳରୁ ୨୦ କିଲୋମିଟର ଭିତରକୁ ଟ୍ରଲର ଚଳାଚଳକୁ ନିଷେଧ କରାଯାଇଥାଏ । ହେଲେ ବର୍ତ୍ତମାନ ସ୍ଥିତିରେ ବେଲେଶ୍ବରଠାରୁ କୁଶଭଦ୍ରା ମୁହାଣ ଭିତରେ ଶହ ଶହ ଅଲିଭ ରିଡଲେ କଇଁଛ ମରିପଡ଼ିବା ନିଶ୍ଚିତ ଭାବେ ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ସ୍ପଷ୍ଟ କରୁଛି ।

ଅଲିଭ ରିଡଲେ କଇଁଛଙ୍କୁ ସୁରକ୍ଷା ଦେବାକୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ କଇଁଛ ସୁରକ୍ଷା କେବଳ କାଗଜ କଲମରେ ଚାଲିଛି । ସରକାରୀ ଟଙ୍କାକୁ ଚଳୁ କରି ଅଧିକାରୀ ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ବଢ଼ାଇବାରେ ଲାଗିଛନ୍ତି, ଏପଟେ ବେଆଇନ ଭାବେ ଟ୍ରଲର ଓ ଡଙ୍ଗା ମାଡ଼ରେ ମରୁଛନ୍ତି ଅଲିଭ ରିଡଲେ କଇଁଛ । ଏମିତିରେ ଯୋଜନାର ସଫଳ ରୂପାୟନ କେମିତି ହେବ ତା’ ଉପରେ ଉଠିଛି ପ୍ରଶ୍ନ ।

Leave a Reply

Your email address will not be published.