ମନ୍ଥର ହୋଇଯାଇଛି ‘ଜୱାଦ’ର ବେଗ, ଆସନ୍ତାକାଲି ମଧ୍ୟାହ୍ନ ସମୟରେ ପୁରୀ ଉପକୂଳ ଛୁଇଁବ ବାତ୍ୟା

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ବାତ୍ୟା ‘ଜୱାଦ’ର ବେଗ ମନ୍ଥର ହୋଇଯାଇଛି । ତାହା ଦୁର୍ବଳ ହୋଇ ତୀବ୍ର ଅବପାତ ରୂପରେ ପୁରୀର ନିକଟତର ହେବାର ସମ୍ଭାବନା ଥିବା କଥା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ‘ଜୱାଦ’ କ୍ରମଶଃ ଉତ୍ତର ଆଡ଼କୁ ଗତି କରିବା ପରେ ଓଡ଼ିଶା ଉପକୂଳ ଦେଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତିଶୀଳ ହୋଇ ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ତୀବ୍ର ଅବପାତ ପାଲଟି ପୁରୀ ନିକଟରେ ପହଞ୍ଚିବ । ପରବର୍ତ୍ତୀ ସମୟରେ ଏହା ଆହୁରି ଦୁର୍ବଳ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗ ଦେଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ମୁହାଁଇବ। ତେବେ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୪ କିଲୋମିଟର୍‌ ବେଗରେ ସାମାନ୍ୟ ଉତ୍ତର ଆଡ଼କୁ ଗତି କରି ଆଜି ଭୋର୍‌ ୫.୩୦ ସୁଦ୍ଧା ସାମୁଦ୍ରିକ ବାତ୍ୟା ‘ଜୱାଦ୍’ ଦକ୍ଷିଣପୂର୍ବ ବିଶାଖାପାଟଣାରୁ ୨୩୦ କିଲୋମିଟର୍‌, ଗୋପାଳପୁର ଦକ୍ଷିଣରୁ ୩୪୦ କିଲୋମିଟର୍‌, ପୁରୀର ଦକ୍ଷିଣ-ଦକ୍ଷିଣପୂର୍ବକୁ ୪୧୦ କିଲୋମିଟର୍‌ ଏବଂ ପାରାଦୀପର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୪୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ।

Leave a Reply

Your email address will not be published.