ବାତ୍ୟାର ରୂପ ନେଲା ‘ଜଓ୍ୱାଦ’

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହେଲା । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସମିଟରେ ସୂଚନା ଦେଇଛନ୍ତି । ବାତ୍ୟା ‘ଜୱାଦ’୫ ତାରିଖ ମଧ୍ୟାହ୍ନରେ ଏହା ପୁରୀ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁବ । ବାତ୍ୟା ସ୍ଥଳଭାଗ ନିକଟତର ହେଲେ ଘଣ୍ଟାପ୍ରତି ସର୍ବାଧିକ ୯୦ରୁ ୧୦୦ କିମି ବେଗରେ ପବନ ବହିପାରେ । ଓଡ଼ିଶା ପାଇଁ ଏବେ ସବୁଠାରୁ ଅଧିକ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତାକାଲି ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଜୁଆର ଆସିବ । ନିୟମିତ ପ୍ରାୟ ୪ ମିଟର ଯାଏଁ ଜୁଆର ଆସିଥାଏ । ବାତ୍ୟା ଯୋଗୁ ଆଉ ୧ ମିଟର ବଢ଼ିବ । ତେଣୁ ପ୍ରାୟ ୫ ମିଟର ପର୍ୟ୍ୟନ୍ତ ଜୁଆର ଆସିବାର ସମ୍ଭାବନା ଥିବାରୁ ସମୁଦ୍ର ନିକଟବର୍ତ୍ତୀ ଲୋକ ସୁରକ୍ଷିତ ସ୍ଥାନକୁ ପଳାଇବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି । ଏଥିସହ ସେ କହିଛନ୍ତି, ବାତ୍ୟା ‘ଜୱାଦ’ର କୋପ ବାତ୍ୟା ଗୁଲାବ ଠାରୁ ଅଧିକ ଏବଂ ତିତଲି ଠାରୁ କମ୍ ରହିବ । ଓଡ଼ିଶାର ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଆଇଏମ୍‌ଡି ଡିଜିଙ୍କ ସୂଚନା ଅନୁଯାୟୀ, ୪ ତାରିଖ ସନ୍ଧ୍ୟାରୁ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ମୁହାଁଇବ । ୫ ତାରିଖ ମଧ୍ୟାହ୍ନରେ ଏହା ପୁରୀ ଜିଲ୍ଲାରେ ଉପକୂଳ ନିକଟବର୍ତ୍ତୀ ହେବ । ଉପକୂଳ ନିକଟ ହୋଇ ସମାନ ଦିଗରେ ପଶ୍ଚିମବଙ୍ଗକୁ ଅଗ୍ରସର ହେବ । ଉପକୂଳ ଛୁଇଁଲା ପରେ ଏହା କ୍ରମେ ଦୁର୍ବଳ ହେବ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି । ଏହା ପ୍ରଭାବରେ ଆଜି ସନ୍ଧ୍ୟାରୁ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯିବ । ଆସନ୍ତାକାଲି ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବ । ବାତ୍ୟାର ପ୍ରଭାବ ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ରହିବ। ଆଜି ମଧ୍ୟରାତ୍ରରୁ ସେସବୁ ସ୍ଥାନରେ ବର୍ଷା ଆରମ୍ଭ ହେବ। ଆସନ୍ତା କାଲି ଅଧିକ ବର୍ଷା ହେବ। ଆଜି ଅପରାହ୍ନରୁ ସ୍ଥାନାନ୍ତରଣ କାର୍ୟ୍ୟ ଆରମ୍ଭ ହେବ ଓ ଆସନ୍ତାକାଲି ମଧ୍ୟାହ୍ନରେ ଶେଷ ହେବ। ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ଦିଆଯାଇଛି ରେଡ୍ ଓ୍ୱାର୍ଣ୍ଣିଂ ।

 

Leave a Reply

Your email address will not be published.