ଛାତ୍ରଛାତ୍ରୀ ବର୍ଷକୁ ଦୁଇଥର ଦେବେ ବୋର୍ଡ ପରୀକ୍ଷା: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ

ଭୂବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପରୀକ୍ଷାରେ ଏକ ବଡ ପରିବର୍ତ୍ତନ ଆଣିଛି । ୨୦୨୧-୨୨ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଦେବେ । ଏହି ଦୁଇଟି ପରୀକ୍ଷାକୁ ଦୁଇଟି ଟର୍ମରେ ବିଭକ୍ତ କରାଯାଇଛି । ସିଲାବସରେ ୫୦ ପ୍ରତିଶତ ଲେଖାଏଁ ପାଠ୍ୟକ୍ରମକୁ ନେଇ ଟର୍ମ-୧ ଓ ଟର୍ମ-୨ ପରୀକ୍ଷା ହେବ । ନଭେମ୍ବର-ଡିସେମ୍ବରରେ ଟର୍ମ-୧ ପରୀକ୍ଷା ଓ ମାର୍ଚ୍ଚ-ଏପ୍ରିଲରେ ଟର୍ମ-୨ ପରୀକ୍ଷା ହେବ । ଉଭୟ ପରୀକ୍ଷାର ନମ୍ବରକୁ ମିଶାଇ ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବ ।

କରୋନା ମହାମାରୀ ହେତୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବହୁ ମାତ୍ରାରେ ବ୍ୟାଘାତ ହୋଇଥିବାରୁ ବୋର୍ଡ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବାର ଅନୁମାନ କରାଯାଉଛି । ମାର୍ଚ୍ଚ ମାସରେ ଜାରି ହୋଇଥିବା ସଂକ୍ଷିପ୍ତ ସିଲାବସ୍ ଅନୁସାରେ ପାଠପଢ଼ା ଯିବ। ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କର ୟୁନିଟ୍ ଟେଷ୍ଟ କରାଯିବ ।

ଆଭ୍ୟନ୍ତରୀଣ ମୂଲ୍ୟାୟନ, ପ୍ରାକ୍ଟିକାଲ୍ ଓ ପ୍ରୋଜକ୍ଟ ଓ୍ୱାର୍କକୁ ଗୁରୁତ୍ୱ ଦିଆଯାଇ ମାର୍କ ପ୍ରଦାନ କରାଯିବ । ନବମ ଓ ଦଶମ ଶ୍ରେଣୀ ପାଇଁ ୩ଟି ପିରିୟୋଡିକ୍ ଟେଷ୍ଟ ହେବ । ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ପ୍ରତିଟି ବିଷୟକୁ ନେଇ ୟୁନିଟ୍ ଟେଷ୍ଟ କରାଯିବ । ସ୍କୁଲ କର୍ତ୍ତୃପକ୍ଷ ମୂଲ୍ୟାୟନକୁ ଡିଜିଟାଲ୍ ମୋଡରେ ରଖିବେ । ସେହି ଡିଜିଟାଲ ମୋଡରେ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ ।

Leave a Reply

Your email address will not be published.