ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍‌ର ସଠିକ ମୁକାବିଲା କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଗାମୀ ୧୫ ଦିନ ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜିଂ ସମୟ ରହିବ, ତେଣୁ ତୃଣମୂଳ ସ୍ତରରେ କୋଭିଡ୍‌ର ମୁକାବିଲାରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସ୍ୱେଚ୍ଛାସେବୀ ତଥା ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ।


ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, “କୋଭିଡ୍‌ ମୁକାବିଲା ତଥା ସଠିକ ପରିଚାଳନା ପାଇଁ ରାଜ୍ୟର ସବୁ ଗାଁ ଓ ଓ୍ୱାର୍ଡ ସ୍ତରରେ ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ନେଇ ଏକ ‘କୋଭିଡ୍‌ କ୍ରାଇସିସ୍‌ ମ୍ୟାନେଜମେଣ୍ଟ କମିଟି ଗଠନ କରାଯାଉ। ଓଡ଼ିଶାରେ କିପରି ଭ୍ୟାକସିନ ଉପଲବ୍ଧି ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ମୋତେ ଅବଗତ କରାଇଛନ୍ତି। ରାଜ୍ୟକୁ କିପରି ଭ୍ୟାକସିନ, ରେମଡ଼େସିଭର ଡ୍ରଗ୍ସ ଓ ରାପିଡ୍‌ ଆଣ୍ଟିଜେନ ଟେଷ୍ଟ କିଟ୍‌ ଅଧିକରୁ ଅଧିକ ଯୋଗାଯାଇ ପାରିବ ସେ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ କଥା ହୋଇଥିବା ମୁଖ୍ୟମନ୍ତ୍ରୀ ମୋତେ ଜଣାଇଛନ୍ତି।

ସେ ଆହୁରି କହିଛନ୍ତିଯେ, ବର୍ତ୍ତମାନ କୋଭିଡ୍ ମହାମାରୀର ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ରାଜ୍ୟ ସରକାରଙ୍କୁ ଯଥାସମ୍ଭବ ସହଯୋଗ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ମିଳିତ ସହଯୋଗ ଓ ସମନ୍ୱୟ ବଳରେ ଓଡ଼ିଶା ଏବଂ ଭାରତ ଏହି ମହାମାରୀ ବିରୋଧ ଲଢ଼େଇରେ ବିଜୟୀ ହୋଇପାରିବ। ଆମେ ଏକାଠୀ ହୋଇ ଜିତିପାରିବା।





­

Leave a Reply

Your email address will not be published.