ମେ ୩୧ ବେଳକୁ କେରଳ ଛୁଇଁପାରେ ମୌସୁମି

ଭୁବନେଶ୍ବର : ମେ ୩୧ ବେଳକୁ କେରଳ ଛୁଇଁପାରେ ମୌସୁମି ସମ୍ଭାବନା ସୃଷ୍ଟି କରିଛି । ଧୀରେଧୀରେ ସକ୍ରିୟ ହେବାରେ ଲାଗିଛି ମୌସୁମୀ ବାୟୁ। ଦକ୍ଷିଣ-ପଶ୍ଚିମ ମୌସୁମୀ ଏବେ ମାଳଦୀପର କୋମୋରିଆ ଅଞ୍ଚଳ ସମେତ ଦକ୍ଷିଣ ପଶ୍ଚିମ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର କିଛି କିଛି ଅଞ୍ଚଳରେ ସକ୍ରିୟ ହୋଇଛି। ଏଥିସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଅଧିକାଂଶ ସ୍ଥାନ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର କିଛି କିଛି ସ୍ଥାନରେ ମୌସୁମୀ ଗୁରୁବାର ସକାଳେ ସକ୍ରିୟ ହୋଇଛି। ଏ ସବୁକୁ ନଜରକୁ ନେଲେ ଖୁବ୍‌ ଶୀଘ୍ର ଭାରତକୁ ମୌସୁମୀ ସ୍ପର୍ଶ କରିବ ବୋଲି ଅନୁମାନ କରାଯାଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ପାଗ ଅନୁକୂଳ ହେଉଥିବାରୁ ତଥା ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ହେଉଥିବାରୁ ମେ’ ୩୧ ବେଳକୁ ମୌସୁମୀ କେରଳ ଛୁଇଁବା ସମ୍ଭାବନା ସୃଷ୍ଟି ହେଉଛି। ଏହାର ପ୍ରାୟ ୧୨ଦିନ ପରେ ଅର୍ଥାତ ଜୁନ୍‌ ୧୦ କିମ୍ବା ୧୧ ତାରିଖକୁ ଓଡ଼ିଶାକୁ ମୌସୁମୀ ଆସିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଗତକାଲି ଦକ୍ଷିଣ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ଗଭୀର ଅବପାତ ରୂପରେ ରହିଥିବା ବାତ୍ୟା ଉତ୍ତରମୁହାଁ ଗତି କରି ଧୀରେ ଧୀରେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଅବପାତ ରୂପରେ ଏହା ଏବେ କେନ୍ଦ୍ରୀୟ ଝାଡ଼ଖଣ୍ଡରେ ରହିଛି। ଏହା ଧୀରେ ଧୀରେ ଉତ୍ତର ଦିଗରେ ଗତି କରିବ ଓ ଆସନ୍ତା ୧୨ ଘଣ୍ଟ‌ାରେ ଆହୁରି ଦୁର୍ବଳ ହୋଇ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପର ପରିଣତ ହେବ।

ଅନ୍ୟପଟେ ଦୁଇ ଦିନର ୟାସ୍‌ର ତାଣ୍ଡବ ପରେ ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଖରାଟିଆ ରହିଥିବା ବେଳେ ଆକାଶ ନିର୍ମଳ ରହିଥିଲା। ତେବେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା ଓ ସମ୍ବଲପୁର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଯାଇଛି। କିନ୍ତୁ ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟ‌ର ସମସ୍ତ ସ୍ଥାନରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଖରାର ମାତ୍ରା ବି ଖୁବ୍ ଅଧିକ ରହିବ। ଏହାପରେ ୩୦ ତାରିଖ ଆଡ଼କୁ ରାଜ୍ୟରେ କା‌ଳବୈଶାଖୀ ପାଇଁ ପାଗ ଅନୁକୂଳ ହେବ। ବିଶେଷକରି ଉତ୍ତର ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗରେ ପବନ ବହିବ। ସେହିପରି ୩୧ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର, କାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ଗଜପତି ଆଦି ଜିଲ୍ଲା‌ରେ କାଳବୈଶାଖୀ ଜନିତ ବର୍ଷା ହେବ।

Leave a Reply

Your email address will not be published.