ଓଡିଶାକୁ ୧୦ରେ ଛୁଇଁବ ମୌସୁମି

ଭୁବନେଶ୍ବର : ଏଥର ଓଡିଶାକୁ ଠିକ୍‌ ସମୟରେ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ୧୦ରେ ଓଡିଶା ଛୁଇଁପାରେ ବୋଲି ଅନୁମାନ କରାଯାଉଛି । କେରଳକୁ ୨ ଦିନ ବିଳମ୍ବରେ ମୌସୁମୀର ଆଗମନ ହୋଇଥିଲେ ସୁଦ୍ଧା ଓଡ଼ିଶାକୁ ଆଗମନରେ ବିଳମ୍ବ ହେବ ନାହିଁ। ଆସନ୍ତା ୧୧ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହା ମୌସୁମୀକୁ ସକ୍ରିୟ କରିବ ଓ ଓଡ଼ିଶାର ଅଧିକାଂଶ ଜିଲ୍ଲା ସମେତ ପଶ୍ଚିମବଙ୍ଗ, ସିକିମ୍‌, ଝାରଖଣ୍ଡ, ବିହାର ଓ ଛତିଶଗଡ଼ ସମେତ ମହାରାଷ୍ଟ୍ରର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ କେରଳକୁ ମୌସୁମୀ ଆସିବା ୨ଦିନ ବିଳମ୍ବ ହୋଇଥିଲେ ବି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମୌସୁମୀକୁ ତ୍ବରାନ୍ବିତ କରିବ ଓ ବଳ ଯୋଗାଇବ। ଫଳରେ ସ୍ବାଭାବିକ ସମୟରେ ଓଡ଼ିଶାକୁ ମୌସୁମୀର ଆଗମନ ହେବ। ୧୧ତାରିଖରେ ଲଘୁଚାପ ଯୋଗୁଁ ରାଜ୍ୟରେ ୯ ତାରିଖ ଆଡ଼କୁ ବର୍ଷା ଆରମ୍ଭ ହୋଇଯିବ। ୧୦ ତାରିଖକୁ ମୌସୁମୀ ସକ୍ରିୟ ହେବ ଓ ରାଜ୍ୟରେ ଭଲ ବର୍ଷା ହେବ ବୋଲି ସେ କହିଛନ୍ତି।

ଅନ୍ୟପଟେ ଆଜି ସମ୍ପୂର୍ଣ୍ଣ କେରଳକୁ ଛୁଇଁଛି ମୌସୁମୀ। ଏଥିସହ ସମ୍ପୂର୍ଣ୍ଣ ଦକ୍ଷିଣ ଆରବସାଗର ସମେତ ଲକ୍ଷଦ୍ବୀପ, ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକର ଅଧିକାଂଶ ସ୍ଥାନ, ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକର କିଛି କିଛି ଅଞ୍ଚଳ, ତାମିଲନାଡ଼ୁର ଆଉ କିଛି ଅଞ୍ଚଳ ଓ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ବି ମୌସୁମୀ ସକ୍ରିୟ ହୋଇଛି।

Leave a Reply

Your email address will not be published.