ପାଖେଇ ଆସୁଛି ମହାପ୍ରଭୂଙ୍କ ଘୋଷଯାତ୍ରା, ବଢୁଛି କଟକଣା

ପୁରୀ: ପାଖେଇ ଆସୁଛି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା । ଯେଉଁ ସମୟରେ ଜଗନ୍ନାଥ ପୁରୀ ଚଳଚଞ୍ଚଳ ହେବା କଥା କରୋନା ମହାମାରୀ ପାଇଁ ପ୍ରଶାସନ ପକ୍ଷରୁ ବଢୁଛି କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବିନା ଶ୍ରଦ୍ଧାଳୁରେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପବିତ୍ର ଯାତ୍ରାକୁ ପରିଚାଳନା କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ।  ଜିଲ୍ଲାପାଳ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି । ମହାପ୍ରଭୂଙ୍କ ପବିତ୍ର ଘୋଷଯାତ୍ରାରେ କେଉଁ ନିଯୋଗରୁ କେତେ ସେବାୟତ ରହିବେ, ରଥ ଉପରେ କେତେ ସେବାୟତ ରହିବେ ତାର ତାଲିକା ଖୁବଶୀଘ୍ର ପ୍ରକାଶ କରାଯିବ।

ସବୁଠାରୁ ବଡ କଥା ହେଲାଯେ, ବଡଦାଣ୍ଡରେ ୧୪୪ ଧାରା ଲାଗୁ ହେଉଥିବାବେଳେ କୌଣସି ହୋଟେଲ, ଲଜିଂ କିମ୍ବା ଧର୍ମଶାଳାରେ ପର୍ଯ୍ୟଟକ କିମ୍ବା ଶ୍ରଦ୍ଧାଳୁ ରହିପାରିବେ ନାହିଁ। କେବଳ ବଡ଼ଦାଣ୍ଡରେ ଘର କରିଥିବା ଲୋକଙ୍କ ପରିବାର ସଦସ୍ୟ ଛାତ ଉପରେ ଠିଆ ହୋଇ ରଥଯାତ୍ରା ଦେଖିପାରିବେ।

କୌଣସି ବାହାର ଲୋକ କିମ୍ବା ଅତିଥିଙ୍କୁ ଛାତ ଉପରେ ଠିଆ ହେବାର ସୁଯୋଗ ଦିଆଯିବନାହିଁ। ବଡ଼ଦାଣ୍ଡରେ କେତେ ଘର ରହିଛି ଓ ସେମାନଙ୍କ ପରିବାରର ସଦସ୍ୟ ସଂଖ୍ୟା କେତେ ଜିଲ୍ଲା ପ୍ରଶାସନ ତାର ତାଲିକା ମଧ୍ୟ ପ୍ରସ୍ତୁତ କରୁଛି । ନିୟମ ଉଲ୍ଲଘଂନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ତତସହିତ ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତ, ପ୍ରାଶାସନିକ ଅଧିକାରୀ, ପରିମଳ କର୍ମଚାରୀ ଓ ପୋଲିସଙ୍କୁ ମିଶାଇ ୩୫୦୦ଜଣଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ଆସନ୍ତା ୮ତାରିଖରୁ ଟେଷ୍ଟିଂ ଆରମ୍ଭ ହେବ । ପୁରୀକୁ ବସ୍‌ ଓ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ।

Leave a Reply

Your email address will not be published.