ମଧ୍ୟରାତ୍ରୀ ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟ୍ଟନମ୍ ମଝିରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଗୁଲାବ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ବଙ୍ଗୋପସାଗର ଉପକୂଳକୁ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ । ତେବେ ମଧ୍ୟରାତ୍ରୀ ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟ୍ଟନମ୍ ମଝିରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ ରୁ ୮୫ କି.ମି ରହିବ। ବେଳେବେଳେ ଏହା ୯୫ କି.ମି ହେବାର ସମ୍ଭାବନା ରହିଛି। ପ୍ରାୟ ରାତି ୯ଟା ପରେ ସାମୁଦ୍ରକ ଝଡ ଗୁଲାବ ଲ୍ୟାଣ୍ଡଫଲ୍ କରିବ ବୋଲି ଅନୁମାନ କରାଯାଉଛି। ୮ଟା ୩୦ ସୁଦ୍ଧା ଗୋପାଳପୁର ଠାରୁ ୧୮୦ କି.ମି ଦୂରରେ ରହିଥିଲା ବାତ୍ୟା । ସେହିପରି ଆନ୍ଧ୍ର କଳିଙ୍ଗପଟ୍ଟନମ ଠାରୁ ୨୮୦ କି.ମି ଦୂରରେ ଥିଲା । ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ପାଣିପାଗ ବିଭାଗ ସୂଚନାନୁଯାୟୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବାତ୍ୟାର ବେଶି ପ୍ରଭାବ ପଡିବ। ଭୁବନେଶ୍ଵରରେ ମଧ୍ୟ ଦିନ ସାରା ବର୍ଷା ଲାଗି ରହିବ। ଆଜି ଆଉଟର ବେଲ୍ଟ ଉପକୂଳ ଓଡ଼ିଶାରେ ବର୍ଷା ହେବ। ସମ୍ଭାବ୍ୟ ବାତ୍ୟା ଗୁଲାବ ପାଇଁ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି ଓ କୋରାପୁଟକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ନେଇ ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହିତ ଯାଜପୁର, କଟକ, ବୌଦ୍ଧ, ସୋନପୁର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବଲାଙ୍ଗିର ଏବଂ ନବରଙ୍ଗପୁର ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍‌ଙ୍କୁ ନିୟୋଜିତ କରାଯାଇଛି। ଓଡ଼ିଶାକୁ ୧୩ଟି ଏନଡିଆରଏଫ୍ ଟିମ୍ ପଠାଯାଇଛି। ଗଞ୍ଜାମକୁ ୩, ଗଜପତି, ରାୟଗଡ଼ା, କୋରାପୁଟ, ନୟାଗଡ଼ ଜିଲ୍ଲାକୁ ଦୁଇଟି ଲେଖାଏଁ ଟିମ୍ ପଠାଯାଇଛି। ସେହିପରି ଆନ୍ଧ୍ର ପ୍ରଦେଶରେ ୫ଟି ଟିମ୍ ମୁତୟନ କରାଯାଇଛି ।

Leave a Reply

Your email address will not be published.