ଓଡିଶା ସୂଚନା ଅଧିକାର ଅଭିଯାନର ଦ୍ଵାଦଶ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ

କଟକ, (ନାଗରାଜ ନ୍ୟୁଜ): ଓଡିଶା ସୂଚନାଅଧିକାର ଅଭିଯାନର ଦ୍ଵାଦଶ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କଟକ ଫୁଲନଖରା କୁରାଙ୍ଗଶାସନ ଶାସନ ଆମ୍ରପଲ୍ଲୀ ରିସୋର୍ଟ ଠାରେ ତିନିଦିନ ବ୍ୟାପୀ ଚାଲୁଥିବା ଏହି ସମ୍ମିଳନୀରେ ପୁର୍ବତନ କେନ୍ଦ୍ରୀୟ ସୂଚନା କମିଶନର, ବରିଷ୍ଠ ଆଇଏସ ଅଧିକାରୀ ଅରୁଣା ରାୟ, ଓଡିଶା ସୂଚନା କମିଶନ ପୁର୍ବତନ କମିଶନର ସୁନୀଲ କୁମାର ମିଶ୍ର, ଓଡିଶା ସୂଚନା କମିଶନର ଶ୍ରୀଯୁକ୍ତ ଜଳଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ରବି ଦାସ, ଓଡ଼ିଶାର ନିର୍ଭୀକ ସାମ୍ବାଦିକ ସତ୍ୟପ୍ରକାଶ ନାୟକ, ଓସା ଉପଦେଷ୍ଟା ଚିତ୍ତ ବେହେରା, ବରିଷ୍ଠ ଆଇନଜୀବୀ ତଥା ଓସା ଉପଦେଷ୍ଟା ସୁଧିର ମହାନ୍ତି, ନବନିର୍ମାଣ କୃଷକ ସଂଘ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଓଡ଼ିଶା ରିପୋର୍ଟର ସମ୍ପାଦକ ଦେବେନ୍ଦ୍ର ପୃଷ୍ଟି, ଦଳିତ ନେତା ଅଶୋକ ମଲ୍ଲିକ, ଦୁର୍ନୀତି ସଂଘର୍ଷ ମଞ୍ଚ ସମ୍ପାଦକ ଜୟନ୍ତ ଷଢ଼ଙ୍ଗୀ, ଓସା ରାଜ୍ୟ ଆବାହକ ପ୍ରଦିପ ପ୍ରଧାନଙ୍କ ସମେତ ପ୍ରମୁଖ ଅତିଥି ଉପସ୍ଥିତ ରହି ସୂଚନାଅଧିକାର ଆଇନ ଉପରେ ଆଲୋଚନା କରାଯାଇଥିଲା । ମୂଖ୍ୟ ଅତିଥିଙ୍କ କରକମଳରେ ଓଡ଼ିଶା ସୂଚନାଅଧିକାର ଅଭିଯାନର ଏକ ବାର୍ଷିକ ପୁସ୍ତିକା ଉନ୍ମୋଚିତ କରାଯାଇଥିଲା । ଓଡ଼ିଶା ସୂଚନା ଅଧିକାର ଅଭିଯାନ ଅନେକ ଘାତପ୍ରତିଘାତ, ମିଥ୍ୟାକେସ ଖାଇ ଦୁର୍ନୀତିକୁ ଲୋକଲୋଚନକୁ ଆଣିବାରୁ ଦୁର୍ନୀତି ଗ୍ରସ୍ତ ସରକାର ଗୁଣ୍ଡାଲଗାଇ ଓଡ଼ିଶାର ତୁଙ୍ଗ ସୂଚନାଅଧିକାର କର୍ମୀଙ୍କୁ ହତ୍ୟା କରିଛନ୍ତି ।

ଆଗାମୀ ଦିନରେ ନିଜ ଜୀବନକୁ ସୁରକ୍ଷା ରଖି ସୂଚନାଅଧିକାର ଆଇନରେ ତଥ୍ୟ ସଂଗ୍ରହ କରି ଦୁର୍ନୀତି ଲୋକଲୋଚନକୁ ଆଣିବା ଓ ଏହାକୁ ଲୋକାୟୁକ୍ତରେ କେସ କରିବାନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ସରକାରଙ୍କ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବାର ସମସ୍ତ ତଥ୍ୟ ପ୍ରମାଣ ସହ ଘରଘର ବୁଲି ଲୋକଙ୍କ ନିକଟରେ ଓଡ଼ିଶା ସୂଚନାଅଧିକାର ଅଭିଯାନ ପହଞ୍ଚାଇ ଜନସାଧାରଣଙ୍କୁ ସଚେତନ କରାଇବ ବୋଲି ରାଜ୍ୟ ଆବାହକ ପ୍ରଦିପ ପ୍ରଧାନ ପ୍ରକାଶ କରିଛନ୍ତି । ତିନିଦିନ ଧରି ଚାଲୁଥିବା ରାଜ୍ୟ ସମ୍ମିଳନୀରେ ସୂଚନାଅଧିକାର ଆଇନର ବ୍ୟବହାର, ସରକାରଙ୍କ କାର୍ଯ୍ୟାଳୟରେ ସୂଚନାଅଧିକାର ଆଇନ ଧାରା ୪(୧)ବି ଅନୁଯାୟୀ ୧୭ପ୍ରକାର ସୂଚନା ସ୍ଵୟଂ ପ୍ରକଟିତ କରିବା ,ସଠିକ ସମୟରେ ସୂଚନା ପ୍ରଦାନ କରିବା ଓ ସୂଚନା ପ୍ରଦାନରେ ଜନସୂଚନା ଅଧିକାରୀ ଅବହେଳା କରୁଥିବା ନେଇ ସୂଚନା କମିଶନଙ୍କ ନିକଟରେ ସୂଚନାଅଧିକାର ଆଇନ ଧାରା ୧୮ ଅନୁଯାୟୀ ଅଭିଯୋଗ କରିବା ସଂପର୍କରେ କଟକଜିଲ୍ଲା ଆବାହକ ଶ୍ରୀକାନ୍ତ ପାକଳ ଉପସ୍ଥାପନ କରିଥିଲେ । ବିପିଏଲ ଲୋକଙ୍କୁ ନିଃଶୁଳ୍କ ତଥ୍ୟ ପ୍ରଦାନ କରିବା ପାଇଁ ବଲାଙ୍ଗୀର ଜିଲ୍ଲାର ଧୋବାସାହୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟର ଦ୍ଵାରସ୍ଥ ହୋଇ ବିପିଏଲ ଶ୍ରେଣୀର ଲୋକଙ୍କୁ ନିଃଶୁଳ୍କ ତଥ୍ୟ ପ୍ରଦାନ କରିବା ଆଦେଶ ଉଚ୍ଚତମ ନ୍ୟାୟାଳୟ ଓଡ଼ିଶା ପ୍ରଦାନ କରିଥିଲେ ।

ସେନେଇ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ଭର୍ଦ୍ଧିତ କରିଯିବା ସହ ଓଡ଼ିଶାର ପ୍ରମୁଖ ସୂଚନାଅଧିକାର କର୍ମୀଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା । ତିନିଦିନ ବ୍ୟାପୀ ସମ୍ମିଳନୀକୁ ବରିଷ୍ଠ ସୂଚନାଅଧିକାର କର୍ମୀ ସଚ୍ଚିକାନ୍ତ ପ୍ରଧାନ ଦାୟିତ୍ୱର ସହ ସଂଚାଳନ କରିଥିବା ନେଇ ଓସା ତରଫରୁ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଚର୍ଚ୍ଚିତ ସୂଚନାଅଧିକାର କର୍ମୀ ସୌମ୍ୟରଞ୍ଜନ ପ୍ରଧାନ,ସର୍ବେଶ୍ଵର ବେହେରା, ବିନ୍ଦୁ ମହାନନ୍ଦ,ସଂଜୁକ୍ତା ପାଣିଗ୍ରାହୀ, ପ୍ରତାପ ମହାନ୍ତିଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇ ସୂଚନାଅଧିକାର ଆଇନର ବ୍ୟାପକ ପ୍ରଚାରପ୍ରସାର ନେଇ ସୂଚନାଅଧିକାର କର୍ମୀଙ୍କୁ ଟିକିନିଖି ବୁଝାଇଥିଲେ । ତିନିଦିନ ବ୍ୟାପୀ ଦ୍ଵାଦଶ ରାଜ୍ୟ ସମ୍ମିଳନୀର ଅନ୍ତିମ ଦିବସରେ ସୂଚନାଅଧିକାର କର୍ମୀ ଜିତେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରି ସମ୍ମିଳନୀକୁ ଉଦଯାପିତ କରିଥିଲା ।

Leave a Reply

Your email address will not be published.