ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭା ଶୀତକାଳୀନ ଅଧିବେଶନ: ବାଚସ୍ପତ୍ତି

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଆସନ୍ତା ୧ ତାରିଖରୁ ୩୧ ତାରିଖ ଯାଏଁ ୫ ଘଣ୍ଟା ଚାଲିବ ବିଧାନସଭାର ଶୀତକାଳୀନ ଅଧିବେଶନ । ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତିଯେ, ବିଧାନସଭା ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହୋଇ ୧ଟା ୩୦ଯାଏଁ ବସିବ ଏବଂ ଅପରାହ୍ନ ୪ଟା ରୁ ୬ଟା ଯାଏଁ ଚାଲିବ । ଏପରି ପ୍ରତିଦିନ ୫ ଘଣ୍ଟା ଚାଲିବ । ଅତିରିକ୍ତ ବଜେଟ୍ ୫ଟା ବେଳେ ଉପସ୍ଥାପନ ହେବ । ମୁଲତବୀ ପ୍ରସ୍ତାବ ୯୦ ମିନିଟ୍ ଆଲୋଚନା ହେବ । ବିରୋଧୀ ୫୫ ମିନିଟ୍ ଓ ମନ୍ତ୍ରୀଙ୍କ ଉତ୍ତର ସହ ଶାସକ ଦଳ ପାଇଁ ୩୫ ମିନିଟ୍ ରହିବ । ସପ୍ତାହକ ୬ ଦିନ ମଧ୍ୟରେ ୪ ଦିନ ମୁଖ୍ୟ ବିରୋଧୀ ଦଳ ବିଜେପି ପାଇଁ ଓ କଂଗ୍ରେସ ୨ ଦିନ ମୁଲତବୀ ପ୍ରସ୍ତାବ ଦେଇପାରିବ । ଅନ୍ୟପଟେ ସର୍ବଦଳୀୟ ବୈଠକକୁ ବର୍ଜନ କଲା ବିଜେପି । ସର୍ବଦଳୀୟ ବୈଠକ ଆରମ୍ଭରୁ ହିଁ ଉଠିଗଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ । ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପିକୁ ତାର ହକ୍ ଦିଆଯାଉ ନଥିବା ଅଭିଯୋଗ ଆଣିଲେ ବିଷ୍ଣୁ ସେଠୀ । ରାଜ୍ୟପାଳଙ୍କ ଅଭିଭାଷଣ ଓ ପ୍ରଶ୍ନକାଳ ବେଳେ ହଟ୍ଟାଗୋଳ ନ କରିବାକୁ ବାଚସ୍ପତି ଅନୁରୋଧ କରିଛନ୍ତି । ପୂର୍ବରୁ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ଓ ଉପ ନେତା ଉପସ୍ଥିତ ରହୁଥିଲେ, କିନ୍ତୁ ବିରୋଧୀ ଦଳ ନେତାଙ୍କ ଅସୁସ୍ଥତା କାରଣରୁ ବିରୋଧୀ ଦଳ ଉପ ନେତା ଉପସ୍ଥିତ ରହି ପାରିବେ ବୋଲି କୁହାଯାଇଛି ।

ଏହା ବାଦ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବୈଠକରେ ସାମିଲ କରିବାକୁ ଦାବି କରିଥିଲା ବିଜେପି । ଗତ ସର୍ବଦଳୀୟ ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିଲେ ବି ଏଥର ଏହାକୁ ବାଚସ୍ପତି ଆଗ୍ରହ୍ୟ କରି ଦେବାରୁ ବୈଠକକୁ ବର୍ଜନ କରିଛି ଦଳ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଛନ୍ତି । ବାଚସ୍ପତି ଏହା ମଧ୍ୟ କହିଛନ୍ତିଯେ, ଯାହା ନିୟମରେ ରହିଛି, ସେହି ଅନୁସାରେ କରାଯାଇଛି । ଯଦି ସେମାନେ ବିରୋଧୀ ଦଳ ନେତାଙ୍କ ବଦଳରେ ଆଉ କାହାକୁ ବସାଇବାକୁ ଚାହୁଁଛନ୍ତି, ତାଙ୍କ ଲେଜିସଲେଟିଭ ପାର୍ଟି ଲେଖିକି ଦେଲେ ହେବ ।

Leave a Reply

Your email address will not be published.