ଟ୍ରାକ୍ଟର ଚଲାଇ ସଂସଦ ଆସିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତିନି କୃଷି ଆଇନକୁ ସମର୍ଥନ ଜଣାଇ ଟ୍ରାକ୍ଟର ଚଲାଇ ସଂସଦ ଆସିଛନ୍ତି । ତେବେ ସଂସଦ ପରିସରରେ ବୈଧ ପାସ୍ ଥିବା ଯାନଗୁଡିକ ମଧ୍ୟରେ ଟ୍ରାକ୍ଟର ନଥିବାରୁ ରାହୁଲଙ୍କୁ ଟ୍ରାକ୍ଟରରେ ସଂସଦ ପରିସରରେ ପ୍ରବେଶ କରିବାକୁ ଦିଆଯାଇନଥିଲା । ପ୍ରବେଶ ଦ୍ୱାରରେ ଥିବା ସୁରକ୍ଷା ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ । ତେବେ ଦୁଇଦିନର ବିରତି ପରେ ଆଜିଠୁ ପୁଣି ଆରମ୍ଭ ହେଉଛି ସଂସଦ ମୌସୁମୀ ଅଧିବେଶନ କାର୍ଯ୍ୟ । ଆଜି ଏକ ଭିନ୍ନ ଢଙ୍ଗରେ ଏକ ଟ୍ରାକ୍ଟର ଚଲାଇ ରାହୁଲ ଗାନ୍ଧୀ ସଂସଦରେ ପହଞ୍ଚି କେନ୍ଦ୍ର ସରକାର ଲାଗୁ କରିଥିବା ତିନି କୃଷି ଆଇନ ବିରୋଧରେ ପ୍ରଦର୍ଶନ କରିଛନ୍ତି ।

ଏହା ସହିତ ସେ କହିଛନ୍ତିଯେ, ସରକାର ସଂସଦରେ ସେମାନଙ୍କର ଦାବିକୁ ନେଇ ଆଲୋଚନା କରିବାକୁ ଅନୁମତି ଦେଉ ନାହାଁନ୍ତି । କୃଷକମାନଙ୍କ ସ୍ୱରକୁ ଚାପି ଦିଆଯାଉଛି । ଏହି କଳା ନିୟମକୁ ସରକାରଙ୍କୁ ପ୍ରତ୍ୟାହାର କରିବାକୁ ପଡିବ ବୋଲି ରାହୁଲ ଗାନ୍ଧୀ ଗଣମାଧ୍ୟମକୁ କହିଛନ୍ତି ।

ରାହୁଲଙ୍କ ସହ ଦଳର ସହକର୍ମୀ ତଥା ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ହୁଡା ଉପସ୍ଥିତ ଥିଲେ । କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଏବଂ ଶ୍ରୀନିବାସଙ୍କୁ ଧାରା ୧୪୪ ଉଲ୍ଲଂଘନ କରିଥିବାରୁ ସଂସଦ ବାହାରେ ଅଟକ ରଖାଯାଇଥିଲା । ପରେ ସେମାନଙ୍କୁ ପୋଲିସ ଷ୍ଟେସନକୁ ନିଆଯାଇଥିଲା। ସଂସଦ ବାହାରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ରାହୁଲ କହିଛନ୍ତି ଯେ ମୋଦୀ ସରକାର ଏହି ତିନୋଟି “ବିବାଦୀୟ” କୃଷି ଆଇନକୁ ରଦ୍ଦ କରିବା ଉଚିତ୍ ।

Leave a Reply

Your email address will not be published.