ଆଫଗାନିସ୍ତାନରେ ତାଲିବାନ ଭୟ, ଜୀବନ ବଞ୍ଚାଇବାକୁ ଚାଲିଛି ସଂଘର୍ଷ

କାବୁଲ: ୨୦ ବର୍ଷ ପରେ ପୁଣି ଥରେ ଆରମ୍ଭ ହେଲା ତାଲିବାନୀ ଶାସନ । ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ୧୫ ଅଗଷ୍ଟରେ ତାଲିବାନ ପିଲାମାନେ କାବୁଲରେ ପ୍ରବେଶ କରିଥିଲେ । ସେଠାରେ ରାଷ୍ଟ୍ରପତି ଭବନକୁ କାବୁ କରିଥିଲେ । ଏହାପୂର୍ବରୁ ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘନି ଦେଶ ଛାଡି ନିଜ ପରିବାର ସହିତ ତାଜାକିସ୍ତାନ ଚାଲିଯାଇଥିଲେ । ତାଲିବାନ ଘୋଷଣା କରିଛି ଯେ ବର୍ତ୍ତମାନ ଆଫଗାନିସ୍ତାନରେ ସରିଆ ଆଇନ ଲାଗୁ ହେବ । ଏସବୁ ମଧ୍ୟରେ ମୁଲ୍ଲା ଅବଦୁଲ ଘନି ବରାଦର ବର୍ତ୍ତମାନ ଦେଶର ମୁଖ୍ୟ ହେବେ ବୋଲି ବିଶ୍ୱାସ କରାଯାଉଛି ।

୧୯୯୪ ରେ ତାଲିବାନ ଗଠନ କରିଥିବା ୪ ଜଣଙ୍କ ମଧ୍ୟରୁ ମଲ୍ଲିକା ଅବଦୁଲ ଘନି ବରାଦର ଅନ୍ୟତମ । ୨୦୦୧ରେ, ଯେତେବେଳେ ଆମେରିକାର ନେତୃତ୍ୱାଧୀନ ସୈନ୍ୟବାହିନୀ ଆଫଗାନିସ୍ତାନରେ କାର୍ଯ୍ୟ ଆରମ୍ଭ କରିଥିଲେ । ସେତେବେଳେ ମୁଲ୍ଲା ବାରଦାରଙ୍କ ନେତୃତ୍ୱରେ ଏକ ବିଦ୍ରୋହର ଖବର ଆସିଥିଲା । ଆମେରିକୀୟ ସୈନ୍ୟମାନେ ତାଙ୍କୁ ଆଫଗାନିସ୍ତାନରେ ଖୋଜିବା ଆରମ୍ଭ କରିଥିଲେ କିନ୍ତୁ ସେ ପାକିସ୍ତାନକୁ ପଳାଇ ଯାଇଥିଲେ । ଫେବୃଆରୀ ୨୦୧୦ରେ, ଆମେରିକା ତାଙ୍କୁ ପାକିସ୍ତାନର କରାଚି ସହରରୁ ଗିରଫ କରିଥିଲା । ୨୦୧୨ ବର୍ଷ ପର୍ଯ୍ୟନ୍ତ, ଆଫଗାନିସ୍ତାନ ସରକାର କଏଦୀମାନଙ୍କର ପ୍ରତ୍ୟେକ ତାଲିକା ପ୍ରସ୍ତୁତ କରୁଥିଲେ । ଯେଉଁମାନେ ଶାନ୍ତି କଥାବାର୍ତ୍ତା ପାଇଁ ସେମାନଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ । ସେପ୍ଟେମ୍ବର ୨୦୧୩ ରେ ତାଙ୍କୁ ମୁକ୍ତ କରାଯାଇଥିଲା ।

ଏହା ପରେ ସେମାନେ କେଉଁଠାରେ ଅଛନ୍ତି ତାହା କେହି ଜାଣି ନ ଥିଲେ । ଯେତେବେଳେ ୯୦ ଦଶକରେ ଆଫଗାନିସ୍ତାନରେ ତାଲିବାନ ଗଠନ କରାଯାଇଥିଲା । ତା’ପରେ ଏହାର ମୁଖ୍ୟ ଥିଲେ ମୁଲ୍ଲା ମହମ୍ମଦ ଉମର । ବାରଦାର କେବଳ ତାଙ୍କର ବିଶେଷ ନୁହଁନ୍ତି ତାଙ୍କ ନିକଟ ସମ୍ପର୍କୀୟ ମଧ୍ୟ ଥିଲେ ।କୁହାଯାଏ ଯେ ବରଦାରଙ୍କ ଭଉଣୀ ମୁଲ୍ଲା ଓମାରଙ୍କ ପତ୍ନୀ ଥିଲେ । ୯୦ ଦଶକର କୁଖ୍ୟାତ ତାଲିବାନ ଶାସନରେ ସେ ଦ୍ୱିତୀୟ ପ୍ରମୁଖ ନେତା ଥିଲେ । ମୁଲ୍ଲା ଓମାର ଜୀବିତ ଥିବାବେଳେ ସେ ତାଲିବାନ ପାଇଁ ପାଣ୍ଠି ସଂଗ୍ରହ ଏବଂ ଦୈନନ୍ଦିନ କାର୍ଯ୍ୟକଳାପର ଦାୟିତ୍ୱରେ ଥିଲେ । ୧୯୯୪ରେ ତାଲିବାନ ଗଠନ ପରେ ସେ ଜଣେ କମାଣ୍ଡର ତଥା ରଣନୀତିଜ୍ଞ ଭାବରେ କାର୍ଯ୍ୟ କରିଥିଲେ ।

ତାଲିବାନ, ଏହି ନାଁ ଏବେ ଆଫଗାନିସ୍ତାନ ନାଗରିକଙ୍କ ମନରେ ଛନକା ସୃଷ୍ଟି କରିଛି। ଲୋକମାନେ ମଧ୍ୟ ଜୀବନ ବଞ୍ଚାଇବା ପାଇଁ ଦେଶଛାଡି ଚାଲିଯିବାକୁ ଉଦ୍ୟମ ଜାରି ରଖିଛନ୍ତି । ଆଫଗାନିସ୍ତାନର ବିଭିନ୍ନ ରାସ୍ତାରେ ଗାଡିମଟର ଜାମ୍‌ ହୋଇରହୁଛି । ଅବସ୍ଥା ଏମିତି ଯେ, ଏୟାରପୋର୍ଟରେ ମଧ୍ୟ ପ୍ରବଳ ଭିଡ ଜମିଛି । ତାଲିବାନ କବଜା ପରେ ଆଫଗାନିସ୍ଥାନବାସୀଙ୍କ ମାନବାଧିକାର କ୍ଷୁର୍ଣ୍ଣ ହୋଇଛି । ମହିଳାଙ୍କ ବିରୋଧରେ ହିଂସା ବଢିବାରେ ଲାଗିଛି। ଆଗାନିସ୍ଥାନ ଛାଡିଥିବା ଶରଣାର୍ଥୀଙ୍କୁ ମାନବିକତା ଦୃଷ୍ଟିରୁ ନିଜ ଦେଶରେ ସ୍ଥାନ ଦେବାକୁ ସମସ୍ତ ଦେଶକୁ ଅନୁରୋଧ କରିଛନ୍ତି ଜାତିସଂଘ ମହାସଚିବ ।

କୌଣସି ମତେ ଦେଶଛାଡି ଚାଲିଯିବାକୁ ଉଦ୍ୟତ ହେଉଛନ୍ତି ଆଫ୍‌ଗାନବାସୀ । ପ୍ରତି ମୁହୂର୍ତ୍ତରେ ଆଫଗାନିସ୍ତାନରୁ ଆସୁଛି ହୃଦୟ ବିଦାରକ ଫୁଟେଜ । ଜୀବନ ବଞ୍ଚାଇବାକୁ କିଏ ବିମାନବନ୍ଦରକୁ ଧାଉଁଛି ତ ଆଉ କିଏ ନିବୁଜ କୋଠରୀରେ ଦିନ କାଟୁଛି । ଏକବିଂଶ ଶତାବ୍ଦୀରେ ଏଭଳି ଛାତିଥରା ଦୃଶ୍ୟ ବିଶ୍ୱ ସମୁଦାୟକୁ ଚକିତ କରିଛି । ତାଲିବାନୀ ଶାସନରୁ ବର୍ତ୍ତିବା ପାଇଁ ଚାଲିଛି ସଂଘର୍ଷ । ଯିଏ ଯେମିତି ପାରୁଛି ସେହି ଉପାୟରେ ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଛି । ତାଲିବାନଙ୍କ କବଳରୁ ନିଜେ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଅନ୍ୟ ଦେଶକୁ ଦୌଡୁଛନ୍ତି ଲୋକେ। ଏଥିପାଇଁ କାବୁଲ ବିମାନ ବନ୍ଦରରେ ପ୍ରବଳ ଭିଡ ଜମୁଛି।

କାର୍ଗୋ ବିମାନ ଭିତରେ ପଶିଗଲେ ଶହ ଶହ ଲୋକ। ୧୩୦ ସିଟ୍‌ କ୍ଷମତା ଥିବା ବିମାନରେ ବସିଲେ ୬ଶହରୁ ଅଧିକ। ଯିଏ ଯେଉଁଠି ପାରିଲା ସେଠି ବସିଲା। ପରିସ୍ଥିତି ଏପରି ଯେ ପାଦ ରଖିବାକୁ ମଧ୍ୟ ମିଳିଲାନି ଜାଗା। ଜଣକ ଉପରେ ଜଣେ ଲଦାଲଦି ହୋଇ ବସିଲେ। ଏହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।ଅନ୍ୟପକ୍ଷେ ଲୋକମାନେ ସାମରିକ ବିମାନ ଉପରେ ଯାତ୍ରୀବାହୀ ବସ୍‌ ଭଳି ଚଢ଼ି ଯାଉଥିବା ନଜର ଆସିଥିଲେ। ଏପରିକି କିଛି ଲୋକେ ବିମାନ ଚକାରେ ଝୁଲି ରହି ଯିବାକୁ ଚେଷ୍ଟା କରିଥିଲେ। ଫଳରେ ଡଉନ୍ତା ବିମାନରୁ ତଳେ ଖସିପଡି ସେମାନଙ୍କ ମୃତ୍ୟୁ ହୋଇଥିଲା।

ଆଫ୍‌ଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଭାରତରେ ଥିବା ଶରଣାର୍ଥୀମାନେ ବି ଚିନ୍ତାରେ । ତାଲିବାନ ଭୟରେ ନିଜ ଦେଶ ଛାଡି ଭାରତ ଆସି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏମାନେ ବ୍ୟବସାୟ କରି ଚଳିଆସୁଛନ୍ତି । ହେଲେ ପୁଣିଥରେ ତାଲିବାନୀ ଶାସନ ଫେରିବା ଏମାନଙ୍କ ମନରେ ବି ଭୟ ସଞ୍ଚାର କରିଛି ।

ଏପଟେ ତାଲିବାନ ଆଫଗାନ ଶାସନ କ୍ଷମତା ନିଜ କବ୍‌ଜାକୁ ନେଉଥିବାବେଳେ  ଆଫଗାନିସ୍ଥାନ ସଙ୍କଟ ଉପରେ ଉଦବେଗ ପ୍ରକାଶ କରିଛି ଜାତିସଂଘ।  ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ସାରା ବିଶ୍ୱକୁ ଏକାଠି ହେବାକୁ ପଡିବ ବୋଲି ଆହ୍ବାନ ଦେଇଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍। ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଶ୍ୱ ସମୂହକୁ ଆହ୍ୱାନ ଦେଇ ମହାସଚିବ କହିଛନ୍ତି, ଆଫଗାନିସ୍ଥାନ ଯେପରି ଆତଙ୍କବାଦର ପେଣ୍ଠସ୍ଥଳୀ ପାଲଟିନଯିବ ସେଥିପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡିବ।  ଆଫଗାନିସ୍ଥାନରେ ବର୍ତ୍ତମାନ ଯାହା ଚାଲିଛି ତାକୁ ଅଣଦେଖା କରିହେବନାହିଁ ।

ତେବେ ସବୁଠାରୁ ବଡ ଚିନ୍ତାର ବିଷୟ ହେଉଛି ତାଲିବାନୀଙ୍କ ଭାରତ ପ୍ରତି ଆଭିମୁଖ୍ୟ କଣ ହେବ ତାହା ଏବେ କହିବା ମୁସ୍କିଲ । ଆଫଗାନିସ୍ତାନରେ ଭାରତ ଯେଉଁ ସବୁ ନିବେଶ କରିଛି ସେସବୁ କଣ ହେବ । କାରଣ ସରକାର ବଦଳିବା ପରେ ଏବେ ତାଲିବାନୀମାନେ ସବୁ କବ୍‌ଜା କରିସାରିଲେଣି । ଏହାରି ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ପ୍ରଭାବିତ ହେବା ପ୍ରାୟତଃ ସ୍ପଷ୍ଟ ହୋଇଛି । କାରଣ ସେପଟେ ତାଲିବାନୀଙ୍କୁ ସମର୍ଥନ ଜଣାଇସାରିଲେଣି ଚୀନ ଏବଂ ପାକିସ୍ତାନ । ଆଫଗାନିସ୍ତାନ ମଧ୍ୟ ଚୀନ ଏବଂ ପାକିସ୍ତାନ ଆଡକୁ ଢଳିବା ଆଶା ଅଧିକ । ତେବେ ଯଦି ଏହା ହୁଏ ତ ଭାରତ ପାଇଁ ଚିନ୍ତା ବଢିବ । ଭାରତ ସହ ସମ୍ପର୍କକୁ ନେଇ ଜବୀଉଲ୍ଲାହ ମୁଜାହିଦ କହିଛନ୍ତି, ‘ଆମେ ଭାରତ ସମେତ ସମସ୍ତ ଦେଶ ସହିତ ଭଲ ସମ୍ପର୍କ ରଖିବାକୁ ଆଶା ରଖିଛୁ । ଆଫଗାନିସ୍ତାନର ବିକାଶ ପାଇଁ କାମ କରିବୁ । ମାନୁଛୁ ପୂର୍ବରୁ ସମ୍ପର୍କ ଭଲ ନାହିଁ କିନ୍ତୁ ବର୍ତ୍ତମାନ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରିବୁ’ । ସେମାନଙ୍କ କଥାରେ କେତେ ସତ୍ୟତା ରହିଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published.