ଭୟ ରଚିଲାଣି ବ୍ଲାକ ଫଙ୍ଗସ୍

ନୂଆଦିଲ୍ଲୀ: କରୋନା ମହାମାରୀର ଆତଙ୍କ ମଧ୍ୟରେ ଏବେ ଧୀରେଧୀରେ ଭୟଙ୍କର ରୂପ ଧାରଣ କଲାଣି ବ୍ଲାକ ଫଙ୍ଗସ୍ ବା ମ୍ୟୁକ୍ରୋମାଇକୋସିସ । ଓଡ଼ିଶା ସମସ୍ତେ ଏକାଧିକ ରାଜ୍ୟ ଏହି ବ୍ଲାକ ଫଙ୍ଗସକୁ ମହାମାରୀ ତାଲିକାରେ ସ୍ଥାନ ଦେଇଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଏଥିପ୍ରତି ତତ୍ପରତା ପ୍ରକାଶ କରିଛନ୍ତି।

ସାଧାରଣତଃ କରୋନାରୁ ସୁସ୍ଥ ଓ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଦେଖା ଯାଉଥିବା ଏହି ରୋଗ ଇତି ମଧ୍ୟରେ ୧୨୬ ଜଣଙ୍କ ଜୀବନ ନେଇ ସାରିଲାଣି। କେବଳ ମହାରାଷ୍ଟ୍ରରେ ବ୍ଲାକ ଫଙ୍ଗସ ୯୦ ଜଣଙ୍କ ଜୀବନ ନେଇଛି। କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ମହାରାଷ୍ଟ୍ରରେ ଏବେ ବ୍ଲାକ ଫଙ୍ଗସ ମାଡ଼ିବା ନୂଆ ବିପଦ ସୃଷ୍ଟି କରିଛି।

ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏକାଧିକ ରାଜ୍ୟରେ ଏହାର ଚିକିତ୍ସା ପାଇଁ ଆବଶ୍ୟକ ଆଣ୍ଟି ଫଙ୍ଗସ ଇଞ୍ଜେକସନ ଲିପୋସୋମାଲ ଆମ୍ଫୋଟେରିସିନ ବି ଅଭାବ ଦେଖିବାକୁ ମିଳିଛି। ଏହାର ଯୋଗାଣ ତ୍ୱାରାନ୍ୱିତ କରିବାକୁ ରାଜ୍ୟଗୁଡ଼ିକ କେନ୍ଦ୍ର ଠାରୁ ସହାୟତା ମାଗିଛନ୍ତି। ତୁରନ୍ତ ଆବଶ୍ୟକ ଭିଆଲ ଔଷଧ ପଠାଇବାକୁ ସେମାନେ ଦାବି କରିଛନ୍ତି।
ମହାରାଷ୍ଟ୍ରରେ ଏପ୍ରିଲ ମାସରୁ ହିଁ ଲିପୋସୋମାଲ ଆମ୍ଫୋଟେରିସିନ ବିର ଅଭାବ ଦେଖିବାକୁ ମିଳୁଥିବା ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।  ଓଡ଼ିଶାରେ ମଧ୍ୟ ଏହି ଲିପୋସୋମାଲ ଆମ୍ଫୋଟେରିସିନ ବି ଔଷଧ ନଥିବା ଜଣାପଡ଼ିଛି।

ମହାରାଷ୍ଟ୍ର ପଛକୁ ବ୍ଲାକ ଫଙ୍ଗସ ଦ୍ୱାରା ୧୪ ଜଣ ଲୋକ ହରିଆଣାରେ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶରେ ଏଯାଏ ୮ ଜଣ ଲୋକଙ୍କ ଜୀବନ ଯାଇଛି। ସମସ୍ତ ମୃତକ ରାଜଧାନୀ ଲକ୍ଷ୍ନୌର। ଝାରଖଣ୍ଡରେ ୪ ଜଣ, ମଧ୍ୟପ୍ରଦେଶରେ ୨, ଛତିଶଗଡ଼ରେ ୨ ଜଣ ପ୍ରାଣ ହରାଇଥିବା ବେଳେ ଉତ୍ତରାଖଣ୍ଡ, ବିହାର, ଆସାମ, ଓଡ଼ିଶା ଓ ଗୋଆରେ ଜଣେ ଲେଖାଏ ଲୋକ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। କିଛି ରାଜ୍ୟ ବ୍ଲାକ ଫଙ୍ଗସ ଜନିତ ରୋଗୀ ଓ ମୃତକଙ୍କ ସଂଖ୍ୟାର ହିସାବ ରଖି ନଥିବା କହିଛନ୍ତି।

ଅନ୍ୟପକ୍ଷରେ ଆମେ ଯଦି ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ଦେଖିବା, ତା’ହେଲେ ଏଯାଏ ୫,୫୦୦ ଜଣ ଲୋକ ଏଥିରେ ଆକ୍ରାନ୍ତ ହୋଇସାରିଲେଣି। ମୃତକଙ୍କ ଭଳି ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ମହାରାଷ୍ଟ୍ର ୧ନଂ ସ୍ଥାନରେ ରହିଛି। ମହାରାଷ୍ଟ୍ର ଓ ଗୁଜରାଟରେ ୧୫ଶହ ଲେଖାଏ ଲୋକ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ବେଳେ ତେଲେଙ୍ଗାନାରେ ୭୦୦, ମଧ୍ୟପ୍ରଦେଶରେ ୫୭୩, କର୍ଣ୍ଣାଟକାରେ ୨୫୦, ଦିଲ୍ଲୀରେ ୨୦୦, ହରିଆଣାରେ ୧୯୦, ୟୁପିରେ ୧୬୦, ରାଜସ୍ଥାନରେ ୧୦୦, ଛିତିଶଗଡ଼ରେ ୭୭, ବିହାରରେ ୫୬, ଉତ୍ତରାଖଣ୍ଡରେ ୪୬, କର୍ଣ୍ଣାଟକାରେ ୪୦, ଝାରଖଣ୍ଡରେ ୩୦, ଓଡ଼ିଶା ୧୦, ତାମିଲନାଡୁ ୯, କେରଳ ୯, ଗୋଆ ୮, ପଶ୍ଚିମବଙ୍ଗ ୨, ପଞ୍ଜାବ ୨, ଆସାମ ୧ ଓ ହିମାଚଳ ପ୍ରଦେଶରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published.