ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ରେଜଲ୍ଟ

ନୂଆଦିଲ୍ଲୀ: ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ । ଏନେଇ କୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର । ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରିଥିଲେ । ମୂଲ୍ୟାୟନକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । ଏଥିପାଇଁ ସିବିଏସଇ ଏକ ୧୩ ଜଣିଆ କମିଟି ଗଠନ କରିଥିଲା । କମିଟିର ସୁପାରିଶ ଆଧାରରେ ମୂଲ୍ୟାୟନ ମାନଦଣ୍ଡ ନିର୍ଦ୍ଧାରଣ ହୋଇଛି । ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ସିବିଏସଇ କର୍ତ୍ତୃପକ୍ଷ ।

୧୩ ଜଣିଆ ବିଶେଷଜ୍ଞ କମିଟି ଦେଇଥିବା ପ୍ରସ୍ତାବକୁ ସୁପ୍ରିମକୋର୍ଟରେ ଉପସ୍ଥାପନ କରିଛି ସିବିଏସଇ ବୋର୍ଡ । ଦଶମ, ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ପରୀକ୍ଷାର ରେଜଲ୍ଟ ଆଧାରରେ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ କରାଯିବ । ଏହାସହ ସିବିଏସଇ କହିଛି, ରେଜଲ୍ଟରେ ଅସନ୍ତୋଷ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ନେଇ ପରେ ଅଲଗା ବ୍ୟବସ୍ଥା କରାଯିବ ।

କେମିତି ମୂଲ୍ୟାୟନ ହେବ ବିସ୍ତୃତ ଭାବରେ କୋର୍ଟଙ୍କୁ ଅବଗତ କରିଛି ସିବିଏସଇ । ଦଶମ ଶ୍ରେଣୀରେ ୫ଟି ବିଷୟରୁ ୩ଟିରେ ସବୁଠୁ ଭଲ ନମ୍ବରକୁ ମାନଦଣ୍ଡ ଭାବରେ ବିଚାର କରାଯିବ । ସେହିପରି ଏକାଦଶ ଶ୍ରେଣୀର ପାଞ୍ଚଟି ବିଷୟର ମାର୍କକୁ ଆଭରେଜ୍ ଭାବରେ ନିଆଯିବ । ଦ୍ୱାଦଶ ଶ୍ରେଣୀ ପ୍ରି-ବୋର୍ଡ ପରୀକ୍ଷା ଓ ପ୍ରାକ୍ଟିକାଲ୍ ନମ୍ବରକୁ ବିଚାରକୁ ନିଆଯିବ ।

ଦଶମ ଶ୍ରେଣୀର ମାର୍କକୁ ୩୦ ପ୍ରତିଶତ, ଏକାଦଶ ଶ୍ରେଣୀର ନମ୍ବରକୁ ୩୦ ପ୍ରତିଶତ ଓ ଦ୍ୱାଦଶ ନମ୍ବରକୁ ୪୦ ପ୍ରତିଶତ ଆଧାରରେ ଫଳାଫଳ ପ୍ରକାଶ କରାଯିବ । ପ୍ରି-ବୋର୍ଡ ପରୀକ୍ଷାରେ ପିଲାଙ୍କୁ ବଢ଼ାଇ ଅଧିକ ମାର୍କ ଦିଆଯାଇଛି କି ନାହିଁ, ସେନେଇ ଏକ ମୂଲ୍ୟାୟନ କମିଟି ଗଠନ କରାଯିବ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି । କମିଟିର ସ୍କୁଲର ଦୁଇ ଜଣ ବରିଷ୍ଠ ଶିକ୍ଷକ ଓ ପଡ଼ୋଶୀ ସ୍କୁଲର ଶିକ୍ଷକ ମୋଡରେସନ୍ କମିଟି ଭାବରେ କାମ କରିବେ ।

Leave a Reply

Your email address will not be published.