ଦ୍ରୁତ ବେଗରେ ବ୍ୟାପୁଛି ‘ଓମିକ୍ରନ’ ସଂକ୍ରମଣ, ସତର୍କତା ଅବଲମ୍ବନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଦେଶରେ ଦ୍ରୁତ ବେଗରେ ବ୍ୟାପୁଛି ‘ଓମିକ୍ରନ’ ସଂକ୍ରମଣ । ଗାଜିଆବାଦ୍‌ରେ ଏହି ଭାରିଆଣ୍ଟର ୨ ଜଣ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି । ‘ଏହା ୧୧ଟି ରାଜ୍ୟକୁ ବ୍ୟାପିଲାଣି ଏବଂ ପୂରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ୧୦ ଜଣ ବ୍ୟକ୍ତିଙ୍କ ଠାରେ ଓମିକ୍ରନ ଚିହ୍ନଟ ହୋଇଥିଲା ବେଳେ ମହାରାଷ୍ଟ୍ରରେ ଏହା ୪୦ ଅତିକ୍ରମ କରିଛି। ରାଜସ୍ଥାନ, କେରଳ ଓ କର୍ଣ୍ଣାଟକରେ ମଧ୍ୟ ସଂଖ୍ୟା ବଢ଼ିବାରେ ଲାଗିଛି । ୧୯ଟି ଜିଲ୍ଲା‌ରେ ସଂକ୍ରମଣ ବଢ଼ିବା ବିପଦ ଅଧିକ ରହିଛି । ଦେଶରେ ତୃତୀୟ ଲହର ଆରମ୍ଭ ହେବା ଆଶଙ୍କା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ପୁଣି ନୂଆ ନିର୍ଦ୍ଦେଶାବଳି ଜାରି କରିଛନ୍ତି । ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ କହିଛନ୍ତି, ବ୍ରିଟେନ୍‌ରେ ଯେଉଁଭଳି ସଂକ୍ରମଣ ବଢୁଛି ଯଦି ସେଭଳି ଭାବେ ଭାରତରେ ସଂକ୍ରମଣ ବଢ଼େ ତେବେ ଭାରତର ଜନସଂଖ୍ୟା ଅନୁଯାୟୀ ଭାରତ ଦିନକୁ ୧୪ ଲକ୍ଷ ସଂକ୍ରମଣ ଦେଖିବ । ୮୦ % ଆଂଶିକ ଟିକାକରଣ ସତ୍ତ୍ବେ ୟୁରୋପ ଅତି ଗୁରୁତର ପର୍ୟ୍ୟାୟ ଦେଇ ଗତି କରୁଛି । ତେଣୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ନୂଆ ନିର୍ଦ୍ଦେଶାବଳି ଜାରି ହୋଇଛି ।
ସ୍ବା‌ସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଗତ ୨୦ ଦିନ ଧରି ଦେଶରେ ସଂକ୍ରମଣ ୧୦ ହଜାର ତଳେ ରହିଛି । ଓମିକ୍ରନ୍‌ ପ୍ରଜାତି ପାଇଁ ଅନ୍ୟ ରାଷ୍ଟ୍ରରେ ସଂକ୍ରମଣ ବଢୁଛି । ତେଣୁ ଆମକୁ ଏ ଦିଗରେ ସତର୍କ ହେବାକୁ ପଡ଼ିବ । ଆବଶ୍ୟକ ନଥିଲେ ଯାତ୍ରା ନକରିବା ପାଇଁ ଏବଂ ଭିଡ଼ ସ୍ଥାନକୁ ନଯିବାପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । କେବଳ ଟିକା ଏଭଳି ସଙ୍କଟରୁ ଦେଶକୁ ମୁକ୍ତ କରିବ ନାହିଁ । ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଏବଂ ହାତ ବାରମ୍ବାର ଧୋଇବା ଏବଂ ଅନ୍ୟ କଟକଣା ପାଳନ କରିବାପାଇଁ ମନ୍ତ୍ରାଳୟ କହିଛି । ଦେଶର ୧୯ଟି ଜିଲ୍ଲାରେ ସାପ୍ତାହିକ କୋଭିଡ୍‌ ପଜିଟିଭ୍‌ ହାର ୫-୧୦ ପ୍ରତିଶତ ରହିଛି। ଅନ୍ୟପକ୍ଷେ ୫ ଟି ଜିଲ୍ଲାରେ ସାପ୍ତାହିକ କୋଭିଡ ପଜିଟିଭ୍‌ ହାର ୧୦ ପ୍ରତିଶତ ଉପରେ ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ୫ ପ୍ରତିଶତରୁ ଅଧିକ ସାପ୍ତାହିକ ପଜିଟିଭ୍‌ ହାର ଥିବା ଜିଲ୍ଲା ଗୁଡ଼ିକ କରୋନା କଟକଣାକୁ କଡ଼ାକଡ଼ି ଲାଗୁ କରିବା ଉଚିତ। ୨ ସପ୍ତାହ ପର୍ୟ୍ୟନ୍ତ ଉକ୍ତ ରାଜ୍ୟମାନଙ୍କ‌ରେ ସାପ୍ତାହିକ ପଜିଟିଭ୍‌ ହାର ୫ ପ୍ରତିଶତ ତଳେ ରହିବା ପର୍ୟ୍ୟନ୍ତ ସଂକ୍ରମଣ ଉପରେ କଡ଼ା ନଜର ରଖିବା ଉଚିତ ବୋଲି କୁହାଯାଇଛି।

Leave a Reply

Your email address will not be published.