ପଦ୍ମ ବିଭୂଷଣ ବାବା ସାହେବ ପୁରନ୍ଦରେଙ୍କ ଦେହାନ୍ତ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ ): ଆଜି ସକାଳେ ପୁଣେର ଏକ ହସ୍ପିଟାଲରେ ପଦ୍ମ ବିଭୂଷଣ ସମ୍ମାନ ପ୍ରାପ୍ତ ଖ୍ୟାତନାମା ଐତିହାସିକ ଓ ଲେଖକ ବାବାସାହେବ ପୁରନ୍ଦରେଙ୍କର ଦେହାନ୍ତ ହୋଇଯାଇଛି । ବାବାସାହେବ ପୁରନ୍ଦରେ ସପ୍ତାହେ ପୂର୍ବରୁ ନିମୋନିଆରେ ପୀଡ଼ିତ ଥିଲେ । ଏହାପରେ ତାଙ୍କୁ ପୁନେ ସହରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଇସିୟୁରେ ଚିକିତ୍ସା ଚାଲିଥିଲେ ବି ଗତକାଲିଠୁ ତାଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା । ଆଜି ସକାଳ ୫ଟା ୭ ମିନିଟରେ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ‌ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା । ପୂର୍ବହ୍ନ ୧୦ଟା ୩୦ରେ ବୈକୁଣ୍ଠ ଶଶ୍ମାନ ଭୂମିରେ ତାଙ୍କ ଶେଷ କୃତ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନର ସହ କରାଯିବ ।

ବାବାସାହେବ ନାଁରେ ସୁପରିଚିତ ବଳବନ୍ତ ମୋରେଶ୍ୱର ପୁରନ୍ଦରେ ଥିଲେ ଜଣେ ଖ୍ୟାତିସମ୍ପନ୍ନ ଲେଖକ, ଐତିହାସିକ ଓ ଥିଏଟର ବ୍ୟକ୍ତିତ୍ୱ । ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ପର୍ୟ୍ୟବେଶିତ କାର୍ୟ୍ୟ ପାଇଁ ତାଙ୍କୁ ପ୍ରସିଦ୍ଧି ମିଳିଥିଲା । ସେ ଶିବାଜୀ, ତାଙ୍କ ଶାସନ ଓ ସେ ଅମଳର ଦୁର୍ଗଗୁଡ଼ିକ ବିଷୟରେ କେତେଗୁଡ଼ିଏ ପୁସ୍ତକ ରଚନା କରିଛନ୍ତି । ୨୦୧୫ ମସିହାରେ ତାଙ୍କୁ ମହାରାଷ୍ଟ୍ର ଭୂଷଣରେ ସମ୍ମାନିତ କରାଯାଇଥିଲା । ଏହାପରେ ୨୦୧୯ ମସିହାରେ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published.