ଜଙ୍ଗଲ ବିଭାଗର ଜାଣତରେ ଦିନ ଦ୍ୱିପହରରେ ଗଛକାଟ ଚାଲିଥିବା ଅଭିଯୋଗ

Spread the love

ପାଟଣାଗଡ଼,(ନାଗରାଜ ନ୍ୟୁଜ): ପାଟଣାଗଡ଼ ବନବିଭାଗ ରେଞ୍ଜ କିରିବାଞ୍ଜି ଗଏଲମରା ବିଟ୍ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବିଗତ କିଛି ଦିନ ହେବ ବହୁ ମୂଲ୍ୟବାନ ଶାଗୁଆନ ଗଛ କାଟି ଦିଆଯାଇଥିବା ଦେଖିବାକୁ ମିଳିଛି । ସଂରକ୍ଷିତ ଜଙ୍ଗଲରୁ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହଯୋଗରେ ବ୍ୟାପକ ଭାବେରେ ଗଛ କାଟି ଚୋରି କରୁଥିବା ଅଭିଯୋଗ ହେଉଛି । ଅନ୍ୟ ଦିଗରେ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହଯୋଗରେ କାଠମାଫିଆ ଗଛ କାଟି ପଟା ଆକାରରେ ଚାଲାଣ କରୁଥିବା ମଧ୍ୟ ଅଭିଯୋଗ ହେଉଛି । କିରିବାଞ୍ଜି ସଂରକ୍ଷିତ ଜଙ୍ଗଲରୁ ବହୁ ମୂଲ୍ୟବାନ ଶାଗୁଆନ, ଶିଶୁ, ଶାଳ ଆଦି ଗଛ ଭରପୁର ଥିବା ବେଳେ ଏବେ ସଂରକ୍ଷିତ ଜଙ୍ଗଲ କାଠ ଚୋରଙ୍କ ଭୁ-ସ୍ଵର୍ଗରେ ପରିଣତ ହୋଇ କ୍ଷୟ ହେବାରେ ଲାଗିଛି ବୋଲି ମତ ପାଉଛି । ଗରିବ ଲୋକମାନେ ନିଜ ବ୍ୟବହାର ପାଇଁ ଜଙ୍ଗଲରୁ ଜାଲେଣି କାଠ ଝାଟି ସଂଗ୍ରହ କଲେ ଜଙ୍ଗଲ କର୍ମଚାରୀଙ୍କ ଶିକାର ହେଉଥିବା ବେଳେ ବଡ଼ ବଡ଼ ଗଛ ଢଲାଇ ଜଙ୍ଗଲ ଚୋରମାନେ ଅନାୟସରେ ବ୍ୟବସାୟ ଚଳାଇ ପାରୁଥିବା ସତ୍ତ୍ୱେ ଜଙ୍ଗଲ ବିଭାଗର ନୀରବତା ଏହି ଜଙ୍ଗଲକୁ ଧ୍ବଂସ କରିବାକୁ ସୁନିୟୋଜିତ ଯୋଜନାର ଅଂଶ ବିଶେଷ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କିରିବାଞ୍ଜି ଗଏଲମରା ବିଟ୍ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଭରା ମୂଲ୍ୟବାନ ଶାଗୁଆନ ଶିଶୁ, ଶାଳ, କେନ୍ଦୁ, ବିଜା, ଅଁଳା, ବାହାଡା ବାଉଁଶ ଆଦି ଗଛ ସହ ଔଷଧୀୟ ଗୁଳ୍ମ ଜାତୀୟ ଉଦ୍ଭିଦ ଭରା ପ୍ରାକୃତିକ ପରିବେଶକୁ କାଟି ଧ୍ୱଂସ କରିବାରେ ଜଙ୍ଗଲ ବିଭାଗ ନିୟୋଜିତ ନୁହେଁ କି ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏଥିପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳରେ ଦାବୀ ହେଉଛି ।

ବଲାଙ୍ଗିରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *