ଗଣେଶ ପୂଜା ପ୍ରସ୍ତୁତି ଶେଷ, ମୂର୍ତ୍ତି ନିର୍ମାଣକୁ ନେଇ ବିବାଦ, ହାଇକୋର୍ଟ ହସ୍ତକ୍ଷେପ କରିବା ପାଇଁ ମନା କରିଦେଲେ

Spread the love

କଟକ,(ନାଗରାଜ ନ୍ୟୁଜ):  ଆଉ ମାତ୍ର ଗୋଟିଏ ଦିନ ପରେ ଶ୍ରୀଗଣେଶ ପୂଜା । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଚଳିତ ବର୍ଷ କଟକ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ୧୫୪୨ ଟି ଗଣେଶ ମୂର୍ତ୍ତି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବେ । ମାତ୍ର ଗଣେଶ ମୂର୍ତ୍ତିକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି । ଏହି ବିବାଦ ତେଜିବାରେ ଲାଗିଛି । କିଛି ନିର୍ଦ୍ଦିଷ୍ଟ ଆକୃତିର ନିର୍ମିତ ଗଣେଶ ମୂର୍ତ୍ତିକୁ ବିକୃତ ବୋଲି କୁହାଯାଉଛି । ଅତୀତରେ କଟକ ସହରରେ କେତେକ ମଣ୍ଡପରେ ଗଣେଶଙ୍କୁ ବିକୃତ କରାଯାଇ ପୂଜା କରାଯାଉଥିଲା । ଇତିମଧ୍ୟରେ ପୋଲିସ ପକ୍ଷରୁ ବିକୃତ ଗଣେଶ ମୂର୍ତ୍ତି ନ ଗଢିବା ପାଇଁ ଶିଳ୍ପୀ, ଅନୁଷ୍ଠାନ ଓ କ୍ଲବ ମାନଙ୍କୁ ତାଗିଦ କରିଛି । ପୋଲିସର ତାଗିଦ ଓ ରାତି ଅଧିଆ ଚଢାଉ ବିରୁଦ୍ଧରେ ମୂର୍ତ୍ତି କାରିଗର ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ଏହା ଊପରେ ପୋଲିସ ପକ୍ଷରୁ ଏକ ରିପୋର୍ଟ ମଧ୍ୟ ମାନ୍ୟବର କୋର୍ଟ ଙ୍କ ନିକଟରେ ଦାଖଲ କରାଯାଇଥିଲା।ବିକୃତ ଗଣେଶ ମୂର୍ତ୍ତିକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଆଜି ଶୁଣାଣି କରି ଏଥିରେ ହସ୍ତ କ୍ଷେପ କରିବାକୁ ସିଧା ସଳଖ ମନା କରିଦେଇଛନ୍ତି। ଫଳରେ ବିଭିନ୍ନ କ୍ଲବ ଓ ଅନୁଷ୍ଠାନ ପକ୍ଷରୁ ଦୁଇମାସ ପୂର୍ବରୁ ମୂର୍ତ୍ତି ଗଢିବା ପାଇଁ ଶିଳ୍ପୀଙ୍କୁ ବରାଦ ଦିଆଯାଇଥିଲା । ବରାଦ ଅନୁଯାୟୀ ଶିଳ୍ପୀ ମାନେ ମୂର୍ତ୍ତି ଗଢିଛନ୍ତି।

ଇତିମଧ୍ୟରେ ବିକୃତ ଗଣେଶ ମୂର୍ତ୍ତି ପୂର୍ବରୁ ବରାଦ ଦେଇଥିବା କ୍ଲବ୍ ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏବେ ଧରାଛୁଆଁ ଦେଉ ନାହାନ୍ତି । ଯାହା ଫଳରେ ଶିଳ୍ପୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମୂର୍ତ୍ତି ନିର୍ମାଣ ପାଇଁ କଟକର କାଠଗଡ଼ା ସାହି ଓ କୁମ୍ଭାର ସାହିର ବେଶ୍ ଖ୍ୟାତି ରହିଛି । ଏସବୁ ଅଞ୍ଚଳରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ପରିବାର ନାନା ଦେବାଦେବୀ ମୂର୍ତ୍ତି ଗଢି ନିଜର କୁଟୁମ୍ବ ପୋଷି ଥାଆନ୍ତି । ଚଳିତ ବର୍ଷ କରୋନା କଟକଣା ହଟିଯିବା ପରେ ବର୍ତ୍ତମାନ ମୂର୍ତ୍ତି ତିଆରି ଶେଷ ପର୍ଯ୍ୟାୟରେ ପହଁଚିଛି । କିଛି ନିର୍ଦ୍ଦିଷ୍ଟ ଆକୃତିର ନିର୍ମିତ ଗଣେଶ ମୂର୍ତ୍ତିକୁ ନେଇ ପୋଲିସ ଏହାକୁ ବିକୃତ ବୋଲି କହୁଛି । । ଏଣୁ ଏଭଳି ମୂର୍ତ୍ତିକୁ ପୋଲିସ ବିକୃତ ବୋଲି ଆଖ୍ୟା ଦେଇ ଥିବାରୁ ଏହାକୁ ବିରୋଧ କରି କେତେକ ଶିଳ୍ପୀ ମାନେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିବା ପାଇଁ ମନା କରିଦେଲେ । ମାନ୍ୟବର ହାଇୋର୍ଟ ମାମଲାର ଶୁଣାଣି କରି କହିଛନ୍ତି ପୋଲିସ ପ୍ରଶାସନ ନିଷ୍ପତି ଗ୍ରହଣ କରିବ। ମୁଖ୍ୟ ବିଚାରପତି ଏସ ମୁରଲୀଧର ଏବଂ ଜଷ୍ଟିସ ଚିତ୍ତରଞ୍ଜନ ଦାସ ମାମଲାର ଶୁଣାଣି କରିଥିଲେ।

Leave a Reply

Your email address will not be published. Required fields are marked *