ଜେଇଇ ମେନ୍ ପରୀକ୍ଷା ନେଇ ବଡ ଘୋଷଣା କଲେ ଶିକ୍ଷା ମନ୍ତ୍ରୀ

Spread the love

ନୂଆଦିଲ୍ଲୀ: ଜେଇଇ ମେନ୍ ପରୀକ୍ଷା ନେଇ ବଡ ଘୋଷଣା କରିଛନ୍ତି ଶିକ୍ଷା ମନ୍ତ୍ରୀ । ଏପ୍ରିଲ୍‌ ଓ ମେ’ ମାସରେ ସ୍ଥଗିତ ହୋଇଥିବା ଜେଇଇ ମେନ୍‌ର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ତାରିଖ ଘୋଷଣା ହୋଇଛି । ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଜୁଲାଇ ଓ ଅଗଷ୍ଟରେ ଅନୁଷ୍ଠିତ ହେବ। ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ ଏହାର ଘୋଷଣା କରିଛନ୍ତି । କରୋନା ଯୋଗୁଁ ଯେଉଁ ଛାତ୍ରୀଛାତ୍ରମାନେ ଆବେଦନ କରିପାରିନଥିଲେ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ । ଜେଇଇ ମେନ୍‌ ପରୀକ୍ଷାର ତୃତୀୟ ସେସନ୍‌ ଜୁଲାଇ ୨୦ରୁ ୨୫ ତାରିଖ ଯାଏଁ ଓ ଚତୁର୍ଥ ସେସନ୍‌ ଜୁଲାଇ ୨୭ରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ତୃତୀୟ ସେସନ୍‌ ପାଇଁ ଜୁଲାଇ ୬ରୁ ୮ ତାରିଖ ଏବଂ ଚତୁର୍ଥ ସେସନ୍‌ ଲାଗି ଜୁଲାଇ ୯ରୁ ୧୨ ତାରିଖ ଭିତରେ ଛାତ୍ରୀଛାତ୍ର ଆବେଦନ କରିପାରିବେ। ଏହି ସମୟରେ ପୂର୍ବରୁ ଆବେଦନ କରିଥିବା ପ୍ରାର୍ଥୀମାନେ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ର ବଦଳାଇପାରିବେ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଜେଇଇ ମେନ୍‌ ୨୦୨୧ର ୪ଟି ପର୍ଯ୍ୟାୟରେ ପରୀକ୍ଷା ହେବାର ଥିଲା। ପୂର୍ବରୁ ଦୁଇଟି ସେସନ୍‌ ଫେବୃୟାରୀ ଓ ମାର୍ଚ୍ଚରେ ପରୀକ୍ଷା ହୋଇସାରିଛି। ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୨୩ରୁ ୨୬ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୬ରୁ ୧୮ ତାରିଖ ଯାଏ ଅନୁଷ୍ଠିତ ହୋଇଥିଲା।

ପ୍ରଥମ ପର୍ଯ୍ୟାୟରେ ୬,୨୦,୯୭୮ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୫,୫୬,୨୪୮ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ତୃତୀୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୨୭, ୨୮, ୩୦ ଏବଂ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ମେ’ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ କରୋନା ଯୋଗୁ ଏପ୍ରିଲ ଓ ମେ’ ସେସନ୍‌ ପରୀକ୍ଷାକୁ ଏନ୍‌ଟିଏ ସ୍ଥଗିତ ରଖିଥିଲା।

Leave a Reply

Your email address will not be published. Required fields are marked *