ଚଳିତବର୍ଷ ମାଟ୍ରିକ ଛାତ୍ରଛାତ୍ରୀ ଦେବେ ୬ଟି ପରୀକ୍ଷା

Spread the love

ଭୂବନେଶ୍ବର, (ନାଗରାଜ ନ୍ୟୁଜ):ଚଳିତବର୍ଷ ମାଟ୍ରିକ୍ ଛାତ୍ରଛାତ୍ରୀ ମୋଟ ୬ଟି ପରୀକ୍ଷା ଦେବ‌େ ।  ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ୬ ତାରିଖରୁ ବୋର୍ଡ କାର୍ଯ୍ୟାଳୟରେ ତିନି ଦିନିଆ କର୍ମଶାଳା ଆରମ୍ଭ ହୋଇଛି । ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ ୯୬ଜଣ ବରିଷ୍ଠ ଶିକ୍ଷକଙ୍କ ସମେତ ୧୦ଜଣ ରିସୋର୍ସ ପର୍ସନ (ବିଷୟ ବିଶେଷଜ୍ଞ) ଅଂଶଗ୍ରହଣ କରିଛନ୍ତି ।

ପ୍ରଥମ ଦିନରେ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା କର୍ମଶାଳାକୁ ଉଦ୍‌ଘାଟନ କରି ପରିବର୍ତ୍ତିତ ପରୀକ୍ଷା ଢ଼ାଞ୍ଚା ବିଷୟରେ ସୂଚନା ଦେଇଥିଲେ । ଏହି କର୍ମଶାଳାକୁ ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ପରିଚାଳନା କରୁଛନ୍ତି। ପ୍ରଥମ ଦିନରେ ଫର୍ମାଟିଭ୍ -୩ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଦ୍ବିତୀୟ ଦିନରେ ଫର୍ମାଟିଭ୍-୧ ଓ ୪ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି। ଆସନ୍ତାକାଲି ଉଦ୍‌ଯାପନୀ ଦିବସରେ ଫର୍ମାଟିଭ୍-୨ ବିଷୟରେ ପ୍ରଶିକ୍ଷଣ ଦିଆଯିବ ।

ଏହି ପରୀକ୍ଷା ପାଇଁ ସମୟ ୧ଘଣ୍ଟା ରହିବ। ସେହିପରି ଦ୍ବିତୀୟ ସବ୍‌ମିଟିଭ୍ ଆସେସ୍‌ମେଣ୍ଟ(ଏସ୍‌ଏ-୨) ଏପ୍ରିଲ୍ ‌ଶେଷ ସପ୍ତାହରେ କରାଯିବ ଓ ଏଥିରେ ମୋଟ ୮୦ନମ୍ବର (୫୦ ନମ୍ବର ଅବ୍‌ଜେକ୍ଟିଭ୍ ଓ ୩୦ ନମ୍ବର ସବ୍‌ଜେକ୍ଟିଭ୍) ପରୀକ୍ଷା କରାଯିବ। ଏହି ପରୀକ୍ଷା ପାଇଁ ସମୟ ଦୁଇ ଘଣ୍ଟା ରହିବ। ପରୀକ୍ଷାର୍ଥୀଙ୍କ ଚୂଡାନ୍ତ ମୂଲ୍ୟାୟନ ସମୟରେ ଫର୍ମାଟିଭରୁ ୨୦ ପ୍ରତିଶତ, ଏସ୍‌ଏ-୧ରୁ ୩୦ ପ୍ରତିଶତ ଓ ଏସ୍ଏ-୨ରୁ ୫୦ ପ୍ରତିଶତ ନମ୍ବରକୁ ବିଚାର କରାଯାଇ ଫଳ ପ୍ରକାଶ କରାଯିବ। ଯଦି କରୋନା ପରିସ୍ଥିତି ଅଧିକ ଜଟିଳ ହୁଏ, ତେବେ ଏସ୍‌ଏ-୧ ଓ ଏସ୍‌ଏ-୨ ପରୀକ୍ଷାକୁ ଛାତ୍ରଛାତ୍ରୀମାନେ ନିଜ ଘରେ ଦେବେ। ଏହାର ପ୍ରଶ୍ନପତ୍ର ବୋର୍ଡ କରିବ ଓ ଅଭିଭାବକମାନେ ବିଦ୍ୟାଳୟରୁ ପରୀକ୍ଷା ଆରମ୍ଭରୁ ଅଧ ଘଣ୍ଟା ପୂର୍ବରୁ ନେଇ ପିଲାଙ୍କୁ ଦେବେ ।

ବୋର୍ଡ ସୂଚନା ଅନୁସାରେ ଏବର୍ଷ ମାଟ୍ରିକ୍ ଛାତ୍ରଛାତ୍ରୀ ମୋଟ ୬ଟି ପରୀକ୍ଷା ଦେବ‌େ। ସେଥିରୁ ୪ଟି ଫର୍ମାଟିଭ୍ ଆସେସ୍‌ମେଣ୍ଟ(ଏଫ୍‌ଏ) ଓ ୨ଟି ସବ୍‌ମିଟିଭ୍ ଆସେସ୍‌ମେଣ୍ଟ(ଏସ୍‌ଏ)। ପ୍ରତି ଫର୍ମାଟିଭ୍ ଆସେସ୍‌ମେଣ୍ଟ ୨୦ ନମ୍ବର ବିଶିଷ୍ଟ ହେବ ଓ ଏହାକୁ ବିଦ୍ୟାଳୟର ବିଷୟ ଶିକ୍ଷକ ପରିଚାଳନା କରିବେ। ପ୍ରଥମ ଫର୍ମାଟିଭ୍ ଆସେସ୍‌ମେଣ୍ଟ(ଏଫ୍‌ଏ-୧) ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ, ଏଫ୍‌ଏ-୨ ନଭେମ୍ବର ପ୍ରଥମ ସପ୍ତାହ, ଏଫ୍‌ଏ-୩ ଜାନୁଆରି ଦ୍ବିତୀୟ ସପ୍ତାହ ଓ ଏଫ୍‌ଏ-୩ ମାର୍ଚ ୨ୟ ସପ୍ତାହରେ କରାଯିବ। ଏହାର ମୂଲ୍ୟାୟନ ବିଦ୍ୟାଳୟରେ ସଂପୃକ୍ତ ବିଷୟ ଶିକ୍ଷକଙ୍କ ଦ୍ବାରା କରାଯିବ। ଦୁଇଟି ସବ୍‌ମିଟିଭ୍‌ ଆସେସ୍‌ମେଣ୍ଟ(ଏସ୍‌ଏ) ‌ବୋର୍ଡ ପକ୍ଷରୁ ପରିଚାଳନା କରାଯିବ। ପ୍ରଥମ ସବ୍‌ମିଟିଭ୍ ଆସୋସମେଣ୍ଟ(ଏସ୍‌ଏ-୧) ନଭେମ୍ବର ‌ଶେଷ ସପ୍ତାହରେ ହେବ ଓ ଏଥିରେ ୫୦ନମ୍ବର ପରୀକ୍ଷା‌ ହେବ। ସମସ୍ତ ପ୍ରଶ୍ନ ଅବ୍‌ଜେକ୍ଟିଭ୍ (ବସ୍ତୁନିଷ୍ଠ) ହେବ ।

ପରୀକ୍ଷା ସରିବାର ଅଧଘଣ୍ଟା ମଧ୍ୟରେ ଉତ୍ତରଖାତା ବିଦ୍ୟାଳୟରେ ଦାଖଲ କରିବେ ବୋଲି ଚୂଡାନ୍ତ ହୋଇଛି। ଏ ସମସ୍ତ ବିଷୟରେ କର୍ମଶାଳାରେ ବିସ୍ତୁତ ଆଲୋଚନା କରାଯିବା ସହ ଏଥିରେ ଯୋଗ ଦେଇଥିବା ଅଭିଜ୍ଞ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏମାନେ ଏଠାରୁ ପ୍ରଶିକ୍ଷଣ ଗ୍ରହଣ କରିବାରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ପ୍ରଶିକ୍ଷଣ ପ୍ରଦାନ କରିବେ‌ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଏହି କର୍ମଶାଳାରେ ବୋର୍ଡ ସଭାପତି ରମାଶିଷ ହାଜରା, ସଂପାଦକ ଶ୍ରୀକାନ୍ତ ତରାଇ, ବୋର୍ଡ ପରୀକ୍ଷା ନିୟନ୍ତ୍ରକ ସୁସ୍ମିତା ସାହୁଙ୍କ ସମେତ ବୋର୍ଡର ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଛନ୍ତି । ଆସନ୍ତାକାଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟାର୍ ଯୋଗଦେବାର କାର୍ଯ୍ୟା ରହିଛି  ।

Leave a Reply

Your email address will not be published. Required fields are marked *