ଆଗେଇ ଚାଲିଛି ରଥଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ

Spread the love

ପୁରୀ, (ନାଗରାଜ ନ୍ୟୁଜ): ରଥଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତିନି ରଥର ମୋଟ ୪୨ ଚକ ମଧ୍ୟରୁ ୩୯ଟି ଚକ ନିର୍ମାଣ ସରିଛି। ୩ଟି ତୁମ୍ବରେ ଅର ସଂଯୋଗ ସହ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ଭୂଇଁଚଉତା ଓ ମୁହାଁଟ ବିନ୍ଧ ଅନୁକୂଳ ହୋଇଛି। ତିନିରଥର ୪ଟି ଲେଖାଏ ଚାରିନାହାକା, ପୋଟଳ ପାରେଣି, ପୋଟଳ ଓରା ଓ ପୋଟଳ ଖମ୍ବୀ ନିର୍ମାଣ ସରିଛି। ତିନିରଥର ଚଉଦ ନାହାକା ତିଆରି ଚାଲିଛି। ତାଳଧ୍ଵଜ ରଥ ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ ଶେଷ ହୋଇଛି। ତାଳଧ୍ଵଜ ରଥ ସିଂହାସନ ନିର୍ମାଣ ଶେଷ ହୋଇ ରୂପକାର ସେବକଙ୍କୁ ହସ୍ତାନ୍ତର କରାଯାଇଛି। ସେଥିରେ ରୂପକାର ସେବକମାନେ ଡାଳି, ଲତା, କୁମ୍ଭ ଖୋଦେଇ କରିବେ। ଚଉତା ଓ ମୁହାଁଟ ବିନ୍ଧ ଅନୁକୂଳ ପୂଜା ପରେ ବିନ୍ଧକାର୍ଯ୍ୟ ଆରମ୍ଭ ହୋଇଛି। ଦେବଦଳନ ରଥର ଶେଷ ଚକ ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ ସରିଛି। ଦେବଦଳନ ରଥର ସିଂହାସନ ନିର୍ମାଣ ସରିଛି। ନନ୍ଦିଘୋଷ ରଥର ଶେଷ ଚକ ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ ଶେଷ ହୋଇଛି। ରଥ ସିଂହାସନ ତିଆରି ସରିଛି। ଭୂଇଁଚଉତା ଓ ମୁହାଁଟରେ ବିନ୍ଧ ଅନୁକୂଳ ପୂଜା ପରେ ବିନ୍ଧ କାମ ଆରମ୍ଭ ହୋଇଛି। ସାଲଗୁଜରେ ସିଂହ ବିରାଳ ରୂପ ଖୋଦେଇ ଜାରି ରହିଛି । ଦୋଳବେଦିସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ଘଡ଼ିମୁହଁ, ଦଣ୍ଡା କଣ୍ଟା ,ଦଣ୍ଡା ବିଡ଼ିଆ କଣ୍ଟା ଏବଂ ଧ୍ଵଜ ବତା କଣ୍ଟା ତିଆରିରେ ଲାଗିଛନ୍ତି।

Leave a Reply

Your email address will not be published. Required fields are marked *