ଭାଇ ହେଲା ରକ୍ତମୁଖା, ବଡ଼ଭାଇର ପୁରା ପରିବାରକୁ ହାଣିଦେଇ ସାନଭାଇର ଆତ୍ମସମର୍ପଣ

କଟକ,(ନାଗରାଜ ନ୍ୟୁଜ): ମାହାଙ୍ଗା ଥାନା କୁସୁପୁର ଗାଁ’ରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ସାନଭାଇ ସାଜିଲା ରକ୍ତମୁଖା । ଜମିଜମା ବିବାଦ ଓ ପାରିବାରିକ ଶତ୍ରୁତା ପାଇଁ ଚାଲିଗଲା ଗୋଟିଏ ପରିବାରରୁ ୫ ମୁଣ୍ଡ । ପାଖ ପଡୋଶୀ କେହି ଟେର ପାଇଲେ ନାହିଁ । ସାନଭାଇ ଶିବ ପ୍ରସାଦ ସାହୁ ଯିଏକି ପେଶାରେ ଜଣେ ଡ୍ରାଇଭର,ନିଜ ବଡ଼ଭାଇ ଅଲେଖ ସାହୁଙ୍କୁ ଏବଂ ଅଲେଖର ପତ୍ନୀ ରଶ୍ମି ସାହୁ, ଝିଅ ପାଏଲ ଓ ପୁଅ ଗୁଡ଼ୁ ଓ ଟୁବୁକୁ ମାରଣାସ୍ତ୍ର ଦ୍ୱାରା ହାଣି ହତ୍ୟା କରିବା ଆଲୋଡ଼ ସୃଷ୍ଟି କରିଛି । ଆଜି ସକାଳୁ ଏହି ହତ୍ୟା ଖବର ଚାରିଆଡେ ଖେଳିଯାଇଥିଲା । ସାଲେପୁର ଏସଡ଼ିପିଓ, ମାହାଙ୍ଗା ଆଇଆଇସି, ତହସିଲଦାର ପ୍ରମୁଖ ଘଟଣାସ୍ଥଳୀରେ ପହଂଚି ଛାନଭିନ ଆରଂଭ କରିଛନ୍ତି । ଖଣ୍ଡା ଚୋଟରେ ଏମାନଙ୍କୁ ହତ୍ୟା କରାଯିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ବନ୍ଦ କୋଠରୀ ଭିତରୁ ମୃତକ ମାନଙ୍କ ଶବ ଜବତ କରିଛି ପୋଲିସ ।

ଅନ୍ୟ ପକ୍ଷରେ ହତ୍ୟାକାରୀ ଶିବ ପୋଲିସ ଆଗରେ ନିଜ ଦୋଷ ସ୍ୱୀକାର କରିଛି । ସମ୍ପତ୍ତି ବିବାଦକୁ ନେଇ ସାହୁ ପରିବାର ଭିତରେ ଦୀର୍ଘଦିନୁ ତିକ୍ତତା ଲାଗିରହିଥିଲା । ବଡ଼ଭାଇ ସାନ ଭାଇକୁ ଘରେ ପୁରେଇ ନଦେବାରୁ ଭଡ଼ା ଘରେ ରହୁଥିଲା ଶିବ । ତେବେ ଏମାନଙ୍କ ଭିତରେ ଭୟଙ୍କର ତିକ୍ତତା ଯୋଗୁଁ ଶିବ ରକ୍ତମୁଖା ପାଲଟି ଯାଇଥିଲା ଓ ବଡ ଭାଇର ପରିବାରକୁ ଖଣ୍ଡରେ ହାଣି ନିପାତ କରି ଶେଷରେ ନିଜକୁ ମାନସିକ ବିକାରଗ୍ରସ୍ତ କହି ଆତ୍ମସମର୍ପଣ କରିବା ଜଣାପଡିଛି ।

Leave a Reply

Your email address will not be published.