ଥାନା ଘେରାଉ ବେଳେ ଅଘଟଣ

ନରସିଂହପୁର, (ନାଗରାଜ ନ୍ୟୁଜ): ବିନା କାରଣରେ ୩ଜଣ ବିଜେପି କର୍ମୀଙ୍କୁ ନରସିଂହପୁର ପୁଲିସ ଉଠାଇ ଆଣିଥିବା ଅଭିଯୋଗ ଆଣିଛି ବିଜେପି । ରାଜନୈତିକ ଆକ୍ରୋସ ରଖି ଏହିପରି ହୋଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି କର୍ମୀ । ନରସିଂହପୁର ଥାନା ଅଧିକାରୀଙ୍କୁ ପଚାରିବାରୁ ଏ ସମ୍ପର୍କରେ ଥାନା ଅଧିକାରୀ ଅଲେଖ ଗରଡ଼ିଆ କିଛି କହିବେ ନାହିଁ ବୋଲି ସିଧା ମନା କରି ଦେଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ନରସିଂହପୁର ଥାନା ପୋଲିସ ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗ୍ରାମର ୩ଜଣ ବିଜେପି କର୍ମୀଙ୍କୁ ଉଠାଇ ଆଣିଛି । ସେମାନେ ହେଉଛନ୍ତି ମନୋଜ ନାୟକ, ରଞ୍ଜନ ସାମନ୍ତରାୟ, ଲିପୟ ବଳିୟାରସିଂ ।

ଗତ ୫ ତାରିଖରେ ନରସିଂହପୁର କୋର୍ଟ ପରିସରରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ପୁଣି ଉଭୟ କର୍ମୀଙ୍କ ମଧ୍ୟରେ ଗତ ୮ ତାରିଖରେ ସମାଧାନ କରାଯାଇଥିଲା। ସମାଧାନ ହେବାପରେ ମଧ୍ୟ ପୋଲିସ ପକ୍ଷରୁ ପୂର୍ବରୁ ଜଣଙ୍କୁ ଏବଂ ଗତକାଲି ବିଳମ୍ବିତ ରାତିରେ ଅନ୍ୟ ତିନି ଜଣଙ୍କୁ ପୋଲିସ ଉଠାଇ ଆଣିଥିବାରୁ ବିଜେପି କର୍ମୀ ନରସିଂହପୁର ଥାନା ଘେରାଉ କରିଥିଲେ । ପରିସ୍ଥିତି ଆୟତ୍ତ ନହେବାରୁ ପୋଲିସ ତରଫରୁ ଲାଠି ଚାଳନା କରାଯାଇଥିଲା । ପୋଲିସ ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଫଳରେ ତିନିଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ବିଜେପି କର୍ମୀ ଆହତ ହୋଇଛନ୍ତି । ମହିଳା ପୋଲିସ କର୍ମଚାରୀ ରୀନା ମହାଳିକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published.