ଗୁଣି ଗାରେଡ଼ି ଯୋଗୁଁ ଚାଲିଗଲା ଯୁବତୀଙ୍କ ଜୀବନ, ଅନ୍ଧ ବିଶ୍ବାସ କରିବା ମହଙ୍ଗା ପଡିଲା

ଖଇରା,(ନାଗରାଜ ନ୍ୟୁଜ): ବିଜ୍ଞାନ ଯୁଗରେ ବି ଗୁଣିଗାରେଡି କୁ ବିଶ୍ୱାସ କରି ମଣିଷ ଅସୁବିଧାର ସମ୍ମୁଖୀନ ହେଉଥିବାର ଚିତ୍ର ବାରମ୍ବାର ସାମ୍ନାକୁ ଆସୁଛି।ତଥାବି ପଶୁନି ଚେତା।ଏହିପରି ଅନ୍ଧବିଶ୍ୱାସ କୁ ଆପଣେଇ ଗୁଣିଆ ଉପରେ ନିର୍ଭର କରି ଚାଲିଗଲା ଅସହାୟ ଯୁବତୀଙ୍କ ଜୀବନ।ଏଭଳି ଦାରୁଣ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଗଡ଼ସାହି ପଞ୍ଚାୟତ ର କବିଶୁଳ ଗ୍ରାମରେ।ଏହି ଗ୍ରାମର ସ୍ବର୍ଗତ ଅଭିମନ୍ୟୁ ସେନାପତିଙ୍କର ଅବିବାହିତ କନ୍ୟା ସଂକୀରି ସେନାପତି (୫୦) ଗତକାଲି ନିକଟସ୍ଥ ଧାନ ବିଲରେ ମାଛ ଧରୁଥିବା ସମୟରେ ତାଙ୍କ ଗୋଡ କୁ ସର୍ପ ଆଘାତ କରି କ୍ଷତାକ୍ତ କରିଥିଲା।ପଡ଼ୋଶୀ ମାନେ ସଂକୀରି କୁ ପ୍ରଥମେ ନିକଟସ୍ଥ ଜଣେ ଗୁଣିଆ ପାଖକୁ ନେଇ ବହୁ ସମୟ ଧରି ଝଡ଼ାଫୁଙ୍କା କରିଥିଲେ।ଅବସ୍ଥାରେ ସୁଧାର ନ ଆସିବାରୁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ହେଁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଆଜି ଶବ ବ୍ୟବଚ୍ଛେଦ ପରେ ଅପରାହ୍ନରେ ସୋର ମେଡ଼ିକାଲରେ ସଂକିରୀଙ୍କ ପରିବାର ଲୋକଙ୍କୁ ତାଙ୍କ ଶବ ହସ୍ତାନ୍ତର କରାଯାଇଥିଲା।ସନ୍ଧ୍ୟାରେ ଶୋକାକୁଳ ପରିବେଶରେ ଗ୍ରାମରେ ଶବ ସତ୍କାର କରାଯାଇଛି।ଦିନ ଦରିଦ୍ର ଅବିବାହିତ ସଂକୀରି ଙ୍କ ଉପରେ ନିର୍ଭର କରି ଚଳୁଥିବା ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଙ୍କ ତରଫରୁ ଦାବି ହେଉଛି।ତେବେ ସଂକୀରି ଙ୍କୁ ଗୁଣିଆ ପାଖକୁ ନେଇ ସମୟ ନଗଡ଼ାଇ ସିଧା ସଳଖ ମେଡିକାଲ କୁ ନେଇଥିଲେ ତାର ଜୀବନ ବଞ୍ଚି ଯାଇଥାନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତପୋଷଣ କରିଛନ୍ତି।ଏନେଇ ସୋର ଥାନାରେ ୮୬/୨୨ ମୂଳେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବାର ଜଣାଯାଇଛି।

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.