ଦୋଳ ମେଲଣ ପାଳିତ

Spread the love

କଟକ,(ନାଗରାଜ ନ୍ୟୁଜ): ସଂସ୍କୃତି ଓ ପରମ୍ପରା ର ଏବେବି ଜନଜୀବନ ଉପରେ ତାର ପ୍ରଭାବ ଓ ଗୁରୁତ୍ୱ ରହିଛି l ଚଳନି ଓ ପର୍ବପର୍ବାଣି ପାଳନର ଆନନ୍ଦ ସର୍ବଦା ଅନନ୍ୟ l ଓଡ଼ିଆ ସଂସ୍କୃତିରେ ଦୋଳ ପର୍ବ ର ମହନୀୟତା କୁ ଅଧିକ ମହନୀୟ କରେ କଟକ ବାରଙ୍ଗ ବ୍ଲକ ଅନ୍ତର୍ଗତ ନଗରୀ ଗ୍ରାମ ପଞ୍ଚାୟତର ଅରିଲୋ ଦୋଳ ମେଲଣ ଫାଲଗୁନ ଶୁକ୍ଲ ତ୍ରୟୋଦଶୀ ରାତି ରେ ଅନୁଷ୍ଠିତ ହୋଇଯାଇଛି ଏହି ମେଲଣ। ଦୀର୍ଘ 300ବର୍ଷ ରୁ ଉର୍ଦ୍ଧ କାଳ ଧରି ନିରବଚ୍ଛିନ୍ନ ଭାବରେ ଅନୁଷ୍ଠିତ ହୋଇଆସୁଛି ଅରିଲୋ ଦୋଳ ମେଳଣ।ଜନାର୍ଦ୍ଦନ ଦେବଙ୍କ ପୀଠ ସ୍ଥଳୀରୁ ଆରମ୍ଭ ହୋଇ ଗ୍ରାମ ପରିକ୍ରମା ପରେ ମେଳଣ ପଡ଼ିଆରେ ସମାପ୍ତ ହୋଇଥାଏ। ଏହି ଦୋଳ ମେଳଣରେ ପ୍ରାୟ 60ଖଣ୍ଡ ଗ୍ରାମର ଦୋଳ ବିମାନ ସେମାନଙ୍କ ରୋଷଣି,ବାଜା,ଘଣ୍ଟ,ଘୋଡ଼ା,ଷଣ୍ଢ ନାଚ ସହିତ ଯୋଗ ଦେଇ ଥାନ୍ତି।ଚଳିତ ବର୍ଷ ରାତି ପ୍ରାୟ 11ଘଂଟା 20 ମିନିଟ୍ ସମୟରେ ଆରିଲୋର ଶ୍ରୀ ଶ୍ରୀ ଯୁଗୋଳ କିଶୋର ଦେବ ବାଜା ରୋଷଣୀ ସହିତ ଜନାର୍ଦ୍ଦନ ଦେବଙ୍କ ଚକଡା଼ ନିକଟରେ ପହଂଚି ମେଳଣ ପାଇଁ ନିମନ୍ତ୍ରଣ ପରେ ଅରିଲୋ ଦାଣ୍ଡ ଲୋକାରଣ୍ୟ ହୋଇଉଠି ଥିଲା। ବିଭିନ୍ନ ଗ୍ରାମର ଦୋଳ ବିମାନ ଗୁଡ଼ିକ ଜନାର୍ଦ୍ଦନ ଦେବଙ୍କ ପିଠସ୍ଥଳିରେ ପହଞ୍ଚିବା ପରେ ରାତି ପ୍ରାୟ 2 ଟା ସମୟରେ ପଡୋଶୀ ଆରଡିଆ ପଦା ଓ ମହିଧର ପଡ଼ା ର ଆରାଧ୍ୟ ଶ୍ରୀ ଶ୍ରୀ ନାରାୟଣ ଦେବ ଓ ଶ୍ରୀ ଶ୍ରୀ ରାଧା ମାଧବ ଅନତି ଦୂରରେ ଥିବା ଲଳିତ ଗାଡିଆ ନିକଟରେ ପହଁଚିବା ପରେ ଜନାର୍ଦ୍ଦନ ଦେବଙ୍କ ନିକଟରୁ ଏକ ସ୍ବତନ୍ତ୍ର ନିମନ୍ତ୍ରଣ ପ୍ରେରିତ ହୋଇଥାଏ। ଏହା ପରେ ଲଳିତ ଗାଡିଆ ଠାରେ ଆତସବାଜି ପ୍ରଦର୍ଶିତ ହୋଇଥିଲା। ପରେ ପରେ “ହରି ହରି” ଭେଟ ପାଇଁ ଶ୍ରୀଶ୍ରୀ ଜନାର୍ଦନ ଦେବଙ୍କ ଓ ଗୋପୀନାଥ ଦେବ ଚକଡା଼ ଛାଡ଼ି ବେହେରା ମାନଙ୍କ କାନ୍ଧରେ ମିଳନ ସ୍ଥଳୀକୁ ଆସୁଥିବା ଦୋଳ ବିମାନଙ୍କୁ ଅପେକ୍ଷା କରି ରହିଥିଲେ। ହରି ବୋଲ ହୁଳ ହୁଳି ଧ୍ବନିରେ ଜନାର୍ଦ୍ଦନ ଦେବ ଙ୍କ ପୀଠ ସ୍ଥଳୀ ମୁଖରିତ ହୋଇ ଉଠିଥିଲା। ରାତି ଠିକ୍ ୨ ଘଟିକା ସମୟରେ ଅରିଲୋ ଗ୍ରାମର ଶ୍ରୀ ଶ୍ରୀ ଜନାର୍ଦ୍ଦନ ଦେବ ଓ ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ସହ ପଡୋଶୀ ଗ୍ରାମର ନାରାୟଣ ଦେବ ଓ ଶ୍ରୀ ଶ୍ରୀ ରାଧା ମାଧବ ଦେବଙ୍କର ହରି ହରି ଭେଟ ହୋଇଥିଲା ଏହା ପରେ ଚାରୋଟି ଯାକ ବିମାନ ଅରିଲୋ ଦାଣ୍ଡରେ ଅଗ୍ରସ ହେବା ପରେ ପଛକୁ ପଛ ଦଳ ବାଡ, ମହିଧର୍ ପଡ଼ା, ଶାଷୋଳ,ସରିଚୁଆଁ , ଆମଣ, ନଗରୀ, ଖଣ୍ଡେଇତା ଆଦି ଗ୍ରାମର ଦୋଳ ବିମାନ ଗୁଡ଼ିକ ନିଜ ନିଜର ରୋଷଣୀ ସହିତ ମେଲଣ ପଡିଆ ଅଭିମୁଖେ ଯାତ୍ରା କରିଥିଲେ।

ଏହି ମେଳଣ ର ବିଶେଷତ୍ଵ ଏହି ଯେ ଦୋଳ ବିମାନ ମାନଙ୍କୁ ମେଳଣ ରେ ଭାଗ ନେବା ପାଇଁ କୌଣସି ଆନୁଷ୍ଠାନିକ ନିମନ୍ତ୍ରଣ ଦେବା ର ବିଧି ନାହିଁ। ବିମାନ ରେ ଉପବେଶିତ ଦିଅ ମାନଙ୍କ ର ଯାତ୍ରା ଆକର୍ଷଣୀୟ ଓ ମନମୁଗ୍ଧକର ଥିଲା ବନ୍ଧୁ ମାନଙ୍କ ଦର୍ଶନ ପାଇଁ ବଉଳମୂଳ ପିଣ୍ଡି ଉପରେ ଅପେକ୍ଷା କରି ବସିଥିବା ଯୁଗଳକିଶୋର ଦେଵ ଙ୍କ ତରଫରୁ ମେଳଣ କୁ ଆସିଥିବା ସବୁ ଠାକୁର ଙ୍କୁ ସମ୍ମାନ ସୂଚକ ଅବିର ଓ କେତକୀ ଫୁଲ ର ପାଖୁଡ଼ା ପ୍ରଦାନ କରାଯାଇଥିଲା। ସିନ୍ଦୁରା ଫାଟିବା ପରେ ବିମାନ ଗୁଡିକ ମେଳଣ ପଡିଆ ରେ ପ୍ରବେଶ କରିଥିଲେ, ମହାଖଳା ଭୋଗ ଲାଗିହେବା ପରେ ମେଳଣ ର ସମାପ୍ତି ଘଟିଥିଲା।ଏହି ଅବସର ରେ ଅରିଲୋ ମେଳଣ ସାରସ୍ଵତ କମିଟିର ବାର୍ଷିକ ପତ୍ରିକା ବାସନ୍ତୀକା କୁ ଡି ସି ପି ପିନାକ ମିଶ୍ର ଉନ୍ମୋଚନ କରିଥିଲେ। ଭାଇଚାରା ର ପ୍ରତୀକ ଏହି ମେଳଣ ଟି ଶାନ୍ତି କମିଟି ସହାୟତା ରେ ସୁରୁଖୁୁରେ ପରିଚାଳିତ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ରଖିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ଡି ସିପି ପିନାକ ମିଶ୍ର।

Leave a Reply

Your email address will not be published. Required fields are marked *