ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ଶୋକସଭା

Spread the love

ବାଲେଶ୍ଵର, (ନାଗରାଜ ନ୍ୟୁଜ): କଳା ଓ କଳାକାର ହିତୈଷୀ ମହାମଞ୍ଚ ” ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ” ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ସ୍ଵର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର୍, ହିନ୍ଦୁସ୍ଥାନୀ ସଙ୍ଗୀତଜ୍ଞ ପଦ୍ମକେଶରୀ ପଣ୍ଡିତ ଦାମୋଦର ହୋତା, ପ୍ରଖ୍ୟାତ ହିନ୍ଦୀ ଧାରାବାହିକ ଅଭିନେତା ପ୍ରବୀଣ କୁମାର ଏବଂ ସାଧୁ ଅର୍ଜୁନ ସାହୁ ମହାରାଜଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୋକ ସଭାରେ ସମାଜସେବୀ ତଥା ମାନସ ଭବନ ସଭାପତି ସିଏଚ୍. ସନ୍ତୋଷ କୁମାର ସୁବୁଦ୍ଧି, ଖାଉଟି ଅଦାଲତ ଓକିଲ ସଂଘ ସଭାପତି ଅନିଲ କୁମାର ସାହୁ, ପ୍ରାକ୍ତନ ବ୍ରହ୍ମପୁର ବିଧାୟକ ଶିବ ଶଙ୍କର ସାହାଣୀ, ସୀମାନ୍ତ ନଟରାଜ, ଡା. ତିରୁପତି ସାହୁ, ନାଟ୍ୟକାର କୃଷ୍ଣ ଚନ୍ଦ୍ର ମହାଙ୍କୁଡ଼ ଅତିଥି ଭାବରେ ଯୋଗଦେଇ ଦିବଙ୍ଗତ ପ୍ରତିଭାଧରଙ୍କ ସ୍ମୃତି ଚାରଣ କରିବା ସହ ଗଭୀର ଶୋକ ପ୍ରକାଶ କରିଥିଲେ ।

ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍‌ ସ୍ବାଗତ ଭାଷଣ ସହିତ ଦିବଙ୍ଗତମାନଙ୍କ ଉଭୟ ପ୍ରାଦେଶିକ ଓ ଜାତୀୟ ସଂସ୍କୃତି ପ୍ରତି ଅବଦାନ ସମ୍ପର୍କରେ ସମ୍ୟକ୍ ସୂଚନା ଦେଇଥିଲେ । ଶିଳ୍ପୀ ଶେଖର ସୁମନ ମାଝୀ ଓ ଅଙ୍କିତ କୁମାର ଦାଶ ଉଭୟ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଦିବଙ୍ଗତମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସର୍ବ ପ୍ରଥମେ ଦିବଙ୍ଗତ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କୁନୁ ବେହେରା ଓ ପ୍ରଫୁଲ୍ଲ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସୁରେଶ ତ୍ରିପାଠୀ, ନବ କିଶୋର ମହାପାତ୍ର, ଭାସ୍କର ପାତ୍ର, କୈଳାସ ଚନ୍ଦ୍ର ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ପାତ୍ର, ଆଇନଜୀବୀ ଗୋବିନ୍ଦ ପଣ୍ଡା, ମହେନ୍ଦ୍ର କୁମାର ସାହୁ, ସତ୍ୟ ନାରାୟଣ ମହାରଣା, ପ୍ରଦୀପ କୁମାର ସାହୁ, ଶ୍ରୀମତୀ ଉଷା ରାଣୀ ସାହୁ, ବନ୍ଦନା ନନ୍ଦ, ଚାନ୍ଦ ମାମା ବେହେରା ପ୍ରମୁଖ ବହୁ ସଦସ୍ୟ/ସଦସ୍ୟା ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏଥିରେ ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏଥିସହିତ ସମସ୍ତ ଆୟଜକ ଏବଂ କର୍ମକର୍ତ୍ତାକୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

 

Leave a Reply

Your email address will not be published. Required fields are marked *