୩୧୯୬.୭୫ କୋଟି ଟଙ୍କାର ଜିଏସଟି ସଂଗ୍ରହ

Spread the love

ଭୁବନେଶ୍ବର: ରାଜ୍ୟରେ ୩୧୯୬.୭୫ କୋଟି ଟଙ୍କାର ଜିଏସଟି ମେ’ ମାସରେ ସଂଗ୍ରହ ହୋଇଛି। ରାଜ୍ୟରେ ୮୨୭.୪୩ କୋଟି ଟଙ୍କାର ଓଡ଼ିଶା ଜିଏସ୍‌ଟି, ୬୯୦.୩୨ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୧୦୯୪.୭୦ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଓ ୫୮୪.୩୦ କୋଟି ଟଙ୍କାର ସେସ୍‌ ସଂଗ୍ରହ କରାଯାଇଛି। ୨୦୧୯ ମେ’ରେ ମୋଟ ଜିଏସ୍‌ଟି ସଂଗ୍ରହ ୨୧୪୦.୩୭ କୋଟି ଟଙ୍କା ଓ ୨୦୨୦ ମେ’ରେ ୧୭୨୪.୨୬ ‌କୋଟି ଟଙ୍କା ଥିଲା। ୨୦୧୯ ତୁଳନାରେ ଚଳିତ ବର୍ଷ ମେ’ ମାସ ସଂଗ୍ରହରେ ୪୯.୩୪ ପ୍ରତିଶତ ବୃଦ୍ଧି ହୋଇଛି।

ବାଣିଜ୍ୟ କର ଓ ଜିଏସ୍‌ଟି କମିସନରେଟ ତରଫରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ମେ’ ମାସରେ ଜିଏସ୍‌ଟି ସଂଗ୍ରହ ୪୦.୪୦ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦ ମେ’ ମାସରେ ୪୪୦.୬୭ କୋଟି ଟଙ୍କାର ଓଡ଼ିଶା ଜିଏସ୍‌ଟି ଆଦାୟ ହୋଇଥିଲା। ରିଟର୍ଣ୍ଣ ଫାଇଲିଂ ଅବଧି ଘୁଞ୍ଚିବା ଓ ୫ କୋଟି ଟଙ୍କାରୁ କମ୍ କାରବାର କରୁଥିବା ଡିଲର୍‌ଙ୍କ ଦ୍ବାରା ଦୁର୍ବଳ ଫାଇଲିଂ ସତ୍ତ୍ବେ ରାଜ୍ୟରେ ଅଧିକ ପରିମାଣର ଜିଏସ୍‌ଟି ଆଦାୟ ହୋଇଛି। ପାଞ୍ଚ କୋଟି ଟଙ୍କାରୁ ଅଧିକ ମୂଲ୍ୟର କାରବାର କରୁଥିବା ଡିଲର୍‌ଙ୍କ ଦ୍ବାରା ନିୟମକୁ ଉତ୍ତମ ଢଙ୍ଗରେ ପାଳନ କରାଯାଇଥିବାରୁ ଜିଏସ୍‌ଟି ସଂଗ୍ରହ ବଢ଼ିଛି। ଲୁହା ଓ ଇସ୍ପାତ କ୍ଷେତ୍ରରୁ ଜିଏସ୍‌ଟି ଆଦାୟ ବୃଦ୍ଧି ପାଇଛି। ଭୁଲ ଟିକସ ପଇଠ କରୁଥିବା ଟିକସଦାତାମାନଙ୍କୁ ଚିହ୍ନଟ କରି ସେମାନଙ୍କ ଠାରୁ ସଠିକ୍ ପରିମାଣର ଟିକସ ଅସୁଲ କରିବା ଲାଗି ବାଣିଜ୍ୟକର ଓ ଜିଏସ୍‌ଟି କମିସନର ସୁଶୀଲ କୁମାର ଲୋହାନି ଫିଲ୍ଡ ଅଫିସରମାନଙ୍କୁ ନିର୍ଦେଶ ଦେଇଛନ୍ତି।

ମେ’ ମାସରେ ରାଜ୍ୟରେ ପେଟ୍ରୋଲ୍ ଓ ମଦରୁ ୭୯୨.୭୧ କୋଟି ଟଙ୍କାର ମୂଲ୍ୟଯୁକ୍ତ ଟିକସ (ଭାଟ୍) ଆଦାୟ ହୋଇଛି। ୨୦୨୦ ମେ’ରେ ଏବାବଦରେ ୧୮୮.୫୨ କୋଟି ଟଙ୍କା ଆଦାୟ ହୋଇଥିଲା। ପେଟ୍ରୋଲିୟମ୍ ଉତ୍ପାଦରୁ ୬୬୫.୮୩ କୋଟି ଟଙ୍କାର ଭାଟ୍ ଆୟ ହୋଇଥିବା ବେଳେ ମଦରୁ ୧୨୬.୮୮ କୋଟି ଟଙ୍କା ଆଦାୟ ହୋଇଛି। ଚଳିତ ବର୍ଷ ଏପ୍ରିଲ୍ ଓ ମେ’ ମାସ ମଧ୍ୟରେ ୫୪୭୯ ନୂଆ ଟିକସଦାତା ପଞ୍ଜୀକରଣ କରିଛନ୍ତି। ନିର୍ଧାରିତ ସମୟ ଭିତରେ ଯେଭଳି ୯୦% ରିଟର୍ଣ୍ଣ ଫାଇଲ୍ ହେବ ତାହା ନିଶ୍ଚିତ କରିବାକୁ ସବୁ ସର୍କଲ୍‌କୁ ନିର୍ଦେଶ ଦିଆଯାଇଛି। ଆଲୋଚ୍ୟ ମାସରେ ୧୧.୬୯ ଲକ୍ଷ ଇ-ୱେ ବିଲ୍ ସୃଷ୍ଟି କରାଯାଇଛି।

Leave a Reply

Your email address will not be published. Required fields are marked *