ନିମୁର୍ଲା ଗାଁରେ ଶାନ୍ତି ପ୍ରତିଷ୍ଠା ପାଇଁ ମହାସଭା

Spread the love


ଟିଟିଲାଗଡ, (ସରୋଜ ପୁଝାରୀ): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ଦିଗଶିରା ପଞ୍ଚାୟତ ଅଧିନସ୍ଥ ନିମୁର୍ଲା ଗାଁରେ ଗୁଣୀ ଗାରେଡି ଭଳି ସମସ୍ୟା ନେଇ ଗାଁରେ ଜୁଲାଇ ପହିଲାରୁ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି । ଗ୍ରାମବାସୀ ଏବଂ ବ୍ରଜ ଭୋଇ ପରିବାର ମଧ୍ୟରେ ଗୁଣୀ ଗାରେଡି ସନ୍ଦେହ, ବ୍ରଜ ଭୋଇ ଦ୍ୱାରା ଗ୍ରାମ୍ୟ ଗୋଚର ଜମି, ଖେଳ ପଡିଆ ଜବରଦଖଲ, ବ୍ରଜଙ୍କ ପରିବାର ଗାଁ ଲୋକଙ୍କୁ ଦୈବୀ ଶକ୍ତି ପ୍ରୟୋଗ କରି ଭୟଭୀତ କରିବା ଆଦି ଅଭିଯୋଗ କରିଥିଲେ ଗ୍ରାମବାସୀ । ଲୋକଙ୍କ ଅସନ୍ତୋଷ ବୃଦ୍ଧି ହୋଇ ଗ୍ରାମବାସୀ ଏବଂ ବ୍ରଜଙ୍କ ପରିବାର ମଧ୍ୟରେ ସିନ୍ଧେକେଲା ଥାନାରେ ମାମଲା ରୁଜ୍ଜୁ ହୋଇଥିଲା । ପୋଲିସ ପ୍ରଶାସନ ତରଫରୁ ଗାଁରେ ଶାନ୍ତି ପ୍ରତିଷ୍ଠା ପାଇଁ ବାରମ୍ବାର ଉଦ୍ୟମ ଜାରି ରହିଥିଲା ।

ଗାଁ ଲୋକଙ୍କୁ ବୁଝାସୁଝା କରିବା ପାଇଁ ଗାଁରେ ଅନେକ ଥର ପ୍ରଶାସନ ସଭା ସମିତି କରିଥିଲେ । ଗାଁରେ ଶାନ୍ତି ଫେରାଇଆଣିବା ପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଆଦିବାସୀ ତଥା ଗ୍ରାମବାସୀଙ୍କ ସହିତ ଅନେକ ଥର ଗାଁରେ ବୈଠକ ହୋଇଥିଲା । ଶେଷରେ ମଙ୍ଗଳବାର ପୁଣି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀଙ୍କ ସଭାପତିତ୍ବରେ ଏକ ସଭା ହୋଇଥିଲା । ସଭାରେ ଉତ୍କଳ କନ୍ଧ ସମାଜ କେନ୍ଦ୍ରୀୟ କମିଟି, ବୁଡୁକା ପ୍ରଗଣା, ଟୁପା ପ୍ରଗଣା, ଶିକା ପ୍ରଗଣା, ମିଲକି ପ୍ରଗଣା, ଲୁହା ପ୍ରଗଣା ଓ ଦେଶ କନ୍ଧର ସଭାପତି ମାନଙ୍କ ଉପସ୍ଥିତିରେ ଦୀର୍ଘ ଚାରି ଘଣ୍ଟା ଧରି ବିଚାର ବିମର୍ଶ ହୋଇଥିଲା ।

ଶେଷରେ ଗ୍ରାମବାସୀ ଅନ୍ୟ ଏକ ଗାଁରେ ରହୁଥିବା ବ୍ରଜ ଭୋଇ ପରିବାର ଗାଁକୁ ଆସି ରହିବାକୁ ସମ୍ମତି ପ୍ରକାଶ କରିଥିଲେ । ସଭାରେ ଉତ୍କଳ କନ୍ଧ ସମାଜର ଜିଲ୍ଲା ସଭାପତି ଚିନ୍ତାମଣି ଭୋଇ, ଦିଗଶିରା ସରପଞ୍ଚ ଗୋଲକ ବିହାରୀ ସିଂଭୋଇ, ସମ୍ପାଦକ ବିରଞ୍ଚି ଭୋଇ, ସଂଘର ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଶରତ ଚନ୍ଦ୍ର ସିଂଭୋଇ, କନ୍ଧ ସମାଜ ପ୍ରଗଣା ସଭାପତି ପଦ୍ମନ ପ୍ରଧାନୀ, ଚକ୍ରଧର ଜାନୀ, ପ୍ରଦୀପ ମାଝି, ଚୈତନ୍ୟ ମାଝି‌, ସମାଜର ବରିଷ୍ଠ ନେତା ଥବିର ପୂଝାରୀ, ବନଲତା ମାଝି, ନିତ୍ୟାନନ୍ଦ ମାଝି, ସୁବାଷ ଭୋଇ, ମାହେଶ୍ୱରୀ ମାଝି, ଦେବସିଂ ମାଝି, ଇନ୍ଦ୍ରମଣି ମାଝି ଓ ସୁନୀଲ ମାଝି ଉପସ୍ଥିତ ଥିବାବେଳେ ବ୍ଲକ ସରପଞ୍ଚ ସଂଘ ସଭାପତି ବୀରବର ସାହୁ, ସମ୍ପାଦକ ହରିନାରାୟଣ ମିଶ୍ର ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ପ୍ରଫୁଲ୍ଲ ପ୍ରଧାନୀ ସଭା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *