ନୂଆ ଜୀବନ ପାଇଲେ ମଞ୍ଜୁଳା

Spread the love

କଟକ, (ଭରତ ମହାରଣା): ନାଗ ସାପ ଦଂଶନରେ ଚିକିତ୍ସା ଅଭାବରୁ ନଷ୍ଟ ହେବାକୁ ବସିଥିବା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଞ୍ଚାୟତ ଅନ୍ତର୍ଗତ ବାଲିଝର ଗାଁର ମଞ୍ଜୁଳା ଅନ୍ତି (୯)ଙ୍କ ହାତ ଏବେ ମୋଟାମୋଟି ଭାବେ କାମ କରିବ। ତାଙ୍କ ହାତ ଆଉ କଟା ଯିବନି। ଚର୍ମ ରୋପଣ ତଥା ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ବିଶେଷଜ୍ଞଙ୍କ ଅଢେଇ ଘଣ୍ଟାର ଅସ୍ତ୍ରୋପଚାର ପରେ ଏଭଳି ଆଶା ସଂଚାର ହୋଇଛି । ହାତର ଅଲଗା କ୍ଷତ ସ୍ଥାନରେ ଚର୍ମ ରୋପଣ କରାଯାଇଛି । ଫିଜିଓଥେରାପି ପରେ ୭୦ରୁ ୮୦ ପ୍ରତିଶତ ହାତ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଞ୍ଚାୟତ ଅନ୍ତର୍ଗତ ବାଲିଝର ଗାଁର ମଞ୍ଜୁଳା ନାଗସାପ ଦଂଶନର ଶିକାର ହୋଇଥିଲେ। ପରିବାର ଲୋକେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ମାସେ ହେବ ଗୁଣିଗାରେଡ଼ିରେ ତାଙ୍କୁ ଚିକିତ୍ସା କରାଉଥିଲେ। ଚିକିତ୍ସା ଅଭାବରୁ ଡାହାଣ ହାତଟି ପଚି ନଷ୍ଟ ହୋଇ ଯାଇଥିଲା। ଏହା ପରେ ତାଙ୍କୁ ପ୍ରଥମେ ଉମରକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ନବରଙ୍ଗପୁର ସଦର ମହକୁମା ମେଡିକାଲକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ମଞ୍ଜୁଳାଙ୍କୁ ଏସ୍‌ସିବି ମେଡିକାଲ୍‌କୁ ପଠାଯାଇଥିଲା। ଗତ ମାସରେ ପ୍ରଥମେ ଆଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ସର୍ଜରି ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ବିଷ ଯୋଗୁଁ ମଞ୍ଜୁଳାଙ୍କ ଡାହାଣ ହାତର କିଛି ସ୍ନାୟୁ ନଷ୍ଟ ହୋଇ ଦୁଇଟି ଆଙ୍ଗୁଠି ସମ୍ପୂର୍ଣ୍ଣ ପଚିଯାଇଥିଲା। ଗତମାସ ୧୬ତାରିଖରେ ଡାକ୍ତରୀ ଟିମର ପରାମର୍ଶ ପରେ ପ୍ରଥମ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା।

ସାପ କାମୁଡ଼ା ଯୋଗୁଁ ଡାହାଣ ହାତର ନଷ୍ଟ ହୋଇଯାଇଥିବା ସ୍ଥାନଗୁଡିକ ଚିହ୍ନଟ କରାଯାଇ ସେହି ସ୍ଥାନରେ ପେଟରୁ କିଛି ଚମଡା ଓ ମାଂସ ଆଣି ପ୍ଲାଷ୍ଟିକ ସର୍ଜରି କରାଯାଇଥିଲା। ଏହାପରେ ତାଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। ତିନି ସପ୍ତାହ ପରେ ଆଜି ଶେଷ ଅସ୍ତ୍ରୋପଚାର କରାଯାଇଥିଲା। ଅଢେଇ ଘଣ୍ଟାର ଏହି ଅସ୍ତ୍ରୋପଚାରରେ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ତତ୍ତ୍ବାବଧାନରେ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ପ୍ରଶାନ୍ତ ବଳ, ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ପୃଥ୍ବୀରାଜ ସିଂହ, ଡାକ୍ତର ସମ୍ବିତ୍‌ ସାମଲ, ଡାକ୍ତର ବେଦପ୍ରକାଶ, ନିଶ୍ଚେତକ ବିଭାଗ ଆସୋସିଏଟ୍‌ ପ୍ରଫେସର ଡାକ୍ତର କଲ୍ୟାଣୀ ବାଳା ନାଏକ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *