ମୋବାଇଲ ଲୁଟେରା ଗ୍ୟାଙ୍ଗ୍ ର ଫର୍ଦ୍ଦାଫାଶ୍

Spread the love

କଟକ, (ନାଗରାଜ ନ୍ୟୁଜ): ଏବେ ଦିନକୁ ଦିନ ମୋବାଇଲ ଫୋନ୍ ଚୋରି ବେଶ୍ ବୃଦ୍ଧି ପାଉଛି। ଅସାବଧାନତା ଯୋଗୁଁ ଲୁଟେରାମାନେ ଅତି ଚତୁରତାର ସହ ମୋବାଇଲ ଫୋନ୍ ଲୁଟି ନେଉଛନ୍ତି। ଏଭଳି ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗ୍ ର ଫର୍ଦ୍ଦାଫାଶ୍ କରିଛି କଟକ ଲାଲବାଗ ଥାନା ପୋଲିସ। ଏ ଘଟଣାରେ ଗ୍ୟାଙ୍ଗ୍ ର ଜଣେ ସଦସ୍ୟକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଏକ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର। ଡିସିପିଙ୍କ ସୂଚନା ମୁତାବକ ଗତ କିଛି ଦିନ ତଳେ ଶେଖବଜାର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୋବାଇଲ ହଜିଯାଇଥିବା ଲାଲବାଗ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଅନୁସନ୍ଧାନ ଆରମ୍ଭ କରିଥିଲା ପୋଲିସ। ପରେ ମୋବାଇଲ ଚୋରି ହୋଇଥିବା ଜଣାପଡିଥିଲା। ଆଉ ମୋବାଇଲ ଚୋରିରେ କଟକ ସାଇଲୋ ଗୋବିନ୍ଦପୁର ଅଞ୍ଚଳର ସରୋଜ ବେହେରା ଓରଫ୍ ମୁନାକୁ ଧରିବାରେ ସଫଳ ହୋଇଥିଲା ପୋଲିସ। ମୁନା ନିକଟରୁ ପାଖାପାଖି ୨୨ ଟି ମୋବାଇଲ ଫୋନ୍ ଉଦ୍ଧାର କରାଯାଇଛି। ତେବେ ଘଟଣାର ତଦନ୍ତ କରୁ କରୁ ୪୦ ରୁ ଉର୍ଦ୍ଧ୍ବ ମୋବାଇଲ ଉଦ୍ଧାର କରିଛି ପୋଲିସ।

ମୁନା ନାଁରେ ଏକାଧିକ ମାମଲା ରହିଥିଲା ବେଳେ ସେ ଜଣେ ହାର୍ଡଖୋର୍ ମୋବାଇଲ ଲୁଟେରା ବୋଲି ଜାଣିବାକୁ ପାଇଛି ପୋଲିସ। ତେବେ ମୁନା ମୋବାଇଲ ଲୁଟି ନେଇ ଅନ୍ୟ ସ୍ଥାନରେ ବିକ୍ରି କରୁଥିବାର ମଧ୍ୟ ସୁରାକ ପାଇଛି। ଏ ଗ୍ୟାଙ୍ଗ୍ ରେ ଆଉ କାହାର ସମ୍ପୃକ୍ତି ରହିଛି ସେ ସମ୍ପର୍କରେ ତନାଘନା ଚଳାଇଛି ପୋଲିସ। ସେ କି ପେଡ୍ ସେଟ୍ ହେଉ ବା ଆଣ୍ଡ୍ରୋଏଡ୍ ଏସବୁ ମୋବାଇଲ ହଜିଯାଇଥିବା ରିପୋର୍ଟ କୁ ଆଧାର କରି ଅନୁସନ୍ଧାନ କରାଯିବ। ଆଉ ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ହଜିଯାଇଥିବା ବା ଚୋରି ହୋଇଥିବା ମୋବାଇଲ ଫୋନ୍ କୁ ଉଦ୍ଧାର କରାଯିବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଅତି ସହଜରେ ଲୁଟେରାମାନଙ୍କୁ ଧରିହେବ। ଏ ନେଇ ସହରର ବିଭିନ୍ନ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି। ଅନ୍ୟପକ୍ଷରେ ଉଦ୍ଧାର କରାଯାଇଥିବା ମୋବାଇଲ ଫୋନ୍ କୁ ତଦାରଖ କରି ଏହାର ମାଲିକମାନଙ୍କୁ ଏକ ମେଳା ଦ୍ୱାରା ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର। ପ୍ରେସମିଟ୍ ରେ ୩ ନମ୍ବର ଜୋନ୍ ଏ ସି ପି ତାପସ ପ୍ରଧାନ,ଲାଲବାଗ ଥାନା ଆଇଆଇସି ରବିନାରାୟଣ ଭଞ୍ଜ ଉପସ୍ଥିତ ଥିଲେ। ସହରରେ ପ୍ରବଳ ସଂଖ୍ୟାରେ ମୋବାଇଲ ଚୋରୀ ହେଉଥିବାରୁ ଚୋରମାନଙ୍କ ଗତିବିଧି ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଛି କମିସନରେଟ୍ ପୋଲିସ।

Leave a Reply

Your email address will not be published. Required fields are marked *