ମୁହଁ ଖୋଲିଲେ ଏନସିପି ସୁପ୍ରିମୋ ଶରଦ ପାଓ୍ବାର

Spread the love

ମୁମ୍ବାଇ: ମୁହଁ ଖୋଲିଛନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ବାର । ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଭେଟିବା ପରେ ଏବେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ଫଳରେ ଦୀର୍ଘଦିନର ବ୍ୟବଧାନ ପରେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଆଜି ମୁହଁ ଖୋଲିବାକୁ ପଡ଼ିଛି। ମହାରାଷ୍ଟ୍ରରେ ହେଉଥିବା ଚର୍ଚ୍ଚାରେ ସେ ପୂର୍ଣ୍ଣଛେଦ ପକାଇଛନ୍ତି। ପାୱାର କହିଛନ୍ତି, ମହାରାଷ୍ଟ୍ର ବିକାଶ ଅଘାଡି ସରକାର ପ୍ରତି କୌଣସି ବିପଦ ନାହିଁ। ତାଙ୍କ ମେଣ୍ଟ ସରକାର ମହାରାଷ୍ଟ୍ରରେ ପୂରା ୫ ବର୍ଷ ଚାଲିବ ଏବଂ ସରକାରକୁ ନେଇ କୌଣସି ଅନିଶ୍ଚିତତା ନାହିଁ। ଶିବସେନା କେ‌ବେ ବି ଦେଇଥିବା ପ୍ରତିଶ୍ରୁତିରୁ ଓହରି ଯାଇନଥାଏ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସ୍ବାଭାବିକ କଥା ବୋଲି ସେ କହିଛନ୍ତି। ମେଣ୍ଟ ସରକାର ୫ ବର୍ଷ ପୂରଣ ପରେ ମଧ୍ୟ ତାଙ୍କ ଦଳ ଶିବସେନା ସହିତ ରହିପାରେ ବୋଲି ସେ କହିଛନ୍ତି।

ତେବେ ଶିବସେନା ଏମ୍‌ପି ସଂଜୟ ରାଉତ ଆଜି ପ୍ରଧାନମନ୍ତ୍ରୀଙ୍କୁ କରିଥିବା ପ୍ରଶଂସା ଏହି କଳ୍ପନାଜଳ୍ପନାକୁ ଆହୁରି ବଢ଼ାଇ ଦେଇଛି। ମୋଦୀଙ୍କ ଲୋକପ୍ରିୟତା କମୁଥିବାରୁ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ରାଜ୍ୟସ୍ତରୀୟ ନେତାଙ୍କୁ ନେଇ ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ ଆର୍‌ଏସଏସ୍‌ ଚିନ୍ତା କରୁଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି। ଏ ନେଇ ତାଙ୍କୁ ପ୍ରଶ୍ନ କରାଯିବାରୁ ରାଉତ କହିଛନ୍ତି ବିଜେପି ଗତ ୭ ବର୍ଷ ହେଲା ଯେଉଁ ସଫଳତା ପାଇ ଆସୁଛି ତାହା ନରେନ୍ଦ୍ର ମୋଦୀଙ୍କ ପାଇଁ। ତେଣୁ ମୋଦୀ ଦେଶର ଏବଂ ବିଜେପିର ଶ୍ରେଷ୍ଠ ନେତା ‌ବୋଲି ରାଉତ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ମଂଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଉଦ୍ଧବଙ୍କ ନେତୃତ୍ବରେ ଯାଇଥିବା ନେତୃମଣ୍ଡଳୀ ପ୍ରଥମେ ଭେଟିଥିଲା। ଏହାପରେ ମୋଦୀ ଏବଂ ଉଦ୍ଧବଙ୍କ ମଧ୍ୟରେ ୱାନ-ଟୁ-ୱାନ ବୈଠକ ପ୍ରାୟ ୩୦ ମିନିଟ୍‌ ଧରି ହୋଇଥିଲା। ଏହି ଆଲୋଚନାର ବିଷୟବସ୍ତୁ ପ୍ରଘଟ କରାଯାଇ ନାହିଁ।

Leave a Reply

Your email address will not be published. Required fields are marked *