ଦଣ୍ଡ ଯାତ୍ରାରେ ସାମାଜିକ ନାଟକ ପରିବେଷଣ ନିମନ୍ତେ ନିବେଦନ

Spread the love

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଓଡ଼ିଶା ଚିତ୍ରାଳୟ ମାଲିକ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସ୍ଥାନୀୟ ଗୋସାଇଁ ନୂଆଗାଁ କାଳୁଆ ହୋଟେଲ ସଭାକକ୍ଷ ପରିସରରେ ଶାଖା ସଭାପତି ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସମ୍ପାଦକ ଦୁର୍ଗା ପ୍ରସାଦ ଆଚାର୍ୟ୍ୟ ସ୍ବାଗତ ଭାଷଣ କ୍ରମରେ ଦଣ୍ଡ ନାଚରେ ସାମାଜିକ ନାଟକ ପରିବେଷଣ ନେଇ ଦଣ୍ଡନାଚ ମହାସଂଘ, ଚିତ୍ରାଳୟ ମାଲିକ ସଂଘ ଓ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟିବା ଓ ଚଳିତ ବର୍ଷ ସେଭଳି କିଛି କଟକଣା ନଥିବା ଜିଲ୍ଲାପାଳଙ୍କ ବାଚିକ ଆଦେଶ ସଂକ୍ରାନ୍ତରେ ସୂଚନା ଦେଇଥିଲେ । ଏହି ଅବସରରେ ସଂଘର ଉପଦେଷ୍ଟା ବିଜୟ କୁମାର ସାହୁ ଓ ବିରଞ୍ଚି ନାରାୟଣ ମହାପାତ୍ର ଏବଂ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଅତିଥି ଭାବରେ ଯୋଗଦେଇ ଦଣ୍ଡନାଚରେ ସାମାଜିକ ନାଟକ ବନ୍ଦ ହେତୁ ପ୍ରାୟ ଦୁଇ ବର୍ଷରୁ ଉର୍ଦ୍ଧ୍ବ କାଳ ଧରି ହାତ ବାନ୍ଧି ଗୃହାଙ୍ଗନରେ ବସିରହି ଅତିଶୟ ଦୂର୍ଦ୍ଦଶା ଭିତରେ କାଳାତିପାତ କରୁଥିବା ଅଗଣିତ କଳାକାରଙ୍କ ହିତ ଦୃଷ୍ଟିରୁ ଦଣ୍ଡଯାତ୍ରା ଦଳ ମାନେ ଚଳିତ ବର୍ଷ ସାମାଜିକ ନାଟକ ପରିବେଷଣ ପାଇଁ ଆଗେଇ ଆସିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଚିତ୍ରାଳୟ ସଂଘ ପକ୍ଷରୁ ଏ ଅବସରରେ ଜିଲ୍ଲା ପ୍ରଶାସନ ପ୍ରତି କୃତଜ୍ଞତା ଜ୍ଞାପନ ସହ ଦଣ୍ଡ ନାଚ ଦଳଙ୍କୁ ସାମାଜିକ ନାଟକ ପରିବେଷଣ କରନ୍ତୁ ବୋଲି ଅନୁରୋଧ ଜଣାଇଛନ୍ତି । ବୈଠକରେ ସର୍ବଶ୍ରୀ ପି. ଲକ୍ଷ୍ମୀ ନୃସିଂହ ପାତ୍ର, ଶିବ ରାମ ବେହେରା, ଟୁକୁନା ପାତ୍ର, କୈଳାସ ନାହାକ, ସିମାଦ୍ରୀ ପ୍ରଧାନ, ପଦ୍ମ ଚରଣ ନାହାକ, ଗୌରୀ ଶଙ୍କର ମିଶ୍ର, ପି. ପବିତ୍ର କୁମାର ବର୍ମା, କୃଷ୍ଣ ଚନ୍ଦ୍ର ଗୌଡ, ବିପିନି ବେହେରା, ବଳରାମ ମହାପାତ୍ର, ସନ୍ତୋଷ ବେହେରା, ଗୀତା ସ୍ୱାଇଁ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବାଲେଶ୍ଵର ଜିଲ୍ଲାରୁ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇଥିଲେ ।

ବାଲେଶ୍ୱରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *