କରୋନାରେ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

Spread the love

ଭୁବନେଶ୍ବର: କରୋନାରେ ଶନିବାର ରାତିରେ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତ ହୋଇଛି । ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ । ଦୀର୍ଘ ୨୮ ଦିନ ଧରି ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ତପୁ। ସେ ପ୍ରଥମେ କରୋନାରେ ଆକ୍ରାନ୍ତ ହୋଇଥିଲେ ପରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲେ ବି ତାଙ୍କ ଫୁସ୍‌ଫୁସ୍‌ ସଂକ୍ରମଣ ଘଟି ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିଲା।

କରୋନାରେ ଆକ୍ରାନ୍ତ ହୋଇ ଗତ ମେ’ ୨୦ ତାରିଖରେ ସେ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା‌ରେ ସୁଧାର ନ ଆସିବାରୁ ତାଙ୍କୁ ସମ୍‌ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ‌କରୋନାରୁ ମୁକ୍ତ ହୋଇଥିଲେ ଓ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିଲା। କିନ୍ତୁ କରୋନା ଯୋଗୁଁ ତାଙ୍କ ଫୁସ୍‌ଫୁସ୍‌ର ୭୫ ପ୍ରତିଶତ ସଂକ୍ରମିତ ହୋଇ ସାରିଥିବା ସୂଚନା ରହିଥିଲା।

ତପୁ ମିଶ୍ର ଓଡ଼ିଆ ସଂଗୀତ ଦୁନିଆର ଜଣେ ପରିଚିତ ଚେହେରା। ପାଖାପାଖି ୨୦୦ ଚଳଚ୍ଚିତ୍ରରେ ଗୀତ ଗାଇଥିବା ଏହି କଣ୍ଠଶିଳ୍ପୀ ୨୦୦୩ ମସିହାରେ ‘କୁଳନନ୍ଦନ’ ଚଳଚ୍ଚିତ୍ରରୁ ତାଙ୍କ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ। ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ଗୀତ ଗାଇ ଦୀର୍ଘ ଦୁଇ ଦଶନ୍ଧି ଧରି ଓଲିଉଡ୍‌ ସହ ଯୋଡ଼ି ହୋଇ ଅଛନ୍ତି। ତାଙ୍କ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରୁ ‘ଆ ମାନେ ଆନନ୍ଦପୁର…’, ‘ଆଇ ଲଭ୍‌ ୟୁ…’, ‘ଇସ୍କ ତୁ ହିଁ ତୁ…’ ଆଦି ଅନ୍ୟତମ। ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ  ୪ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହ ଓଡ଼ିଶାର ଆହୁରି ଅନେକ ପୁରସ୍କାର ସେ ପାଇଛନ୍ତି।

Leave a Reply

Your email address will not be published. Required fields are marked *