ଦଳୀୟ ଚିହ୍ନ ” ଝାଡୁ” ହାତରେ ଧରି ସଫାଇ ଅଭିଯାନ

Spread the love

ପୁରୀ, (ନାଗରାଜ ନ୍ୟୁଜ ): ନିଜ ଦଳୀୟ ଚିହ୍ନ ” ଝାଡୁ” ହାତରେ ଧରି ସଫାଇ ଅଭିଯାନ ମାଧ୍ୟମରେ ଆଜି ନବ ବର୍ଷ ପାଳନ କରିଛନ୍ତି ଆମ ଆଦମୀ ପାର୍ଟିର ସଭ୍ୟମାନେ । ପୁରୀ ଜିଲ୍ଲା ଏବଂ ବ୍ରହ୍ମଗିରି ଟିମର ପାର୍ଟି ସଦସ୍ୟମାନେ ଆଜି ବ୍ରହ୍ମଗିରି ଢ଼ାବା ଛକ ଓ ବସଷ୍ଟାଣ୍ଡ ସଫେଇ କରି ନୂଆବର୍ଷ ପାଳନ କରିଛନ୍ତି । ନବକଳେବର ସମୟରେ ବ୍ରହ୍ମଗିରିରେ ନିର୍ମାଣ ହୋଇଥିବା ଏହି ବସଷ୍ଟାଣ୍ଡ ଏବେ ପର୍ଯ୍ୟନ୍ତ ମଧ୍ୟ ବ୍ୟବହାର ଯୋଗ୍ୟ ହୋଇନାହିଁ । ଯାତ୍ରୀଙ୍କ ଶୌଚ ପାଇଁ ଥିବା ଦୁଇଟି ଯାକ ଶୌଚାଳୟ ଆଜି ପର୍ୟ୍ୟନ୍ତ ବ୍ୟବହାରରେ ନଲାଗି ଅଳିଆ ଆବର୍ଜନାରେ ଭରି ରହିଛି । ଯାତ୍ରୀମାନେ ବ୍ୟବହାର ନକରିବାରୁ ବୁଲା କୁକୁର ଏବଂ ଗୋରୁଗାଈ ବାସଷ୍ଟାଣ୍ଡକୁ ବ୍ୟବହାର କରୁଛନ୍ତି । ପାଣି ଟାଙ୍କି ନଥିବାରୁ କିମ୍ବା ଅନ୍ୟ ବ୍ୟବସ୍ଥା ନଥିବାରୁ କୌଣସି ଯାତ୍ରୀ ଏଠାରେ ଆଶ୍ରୟ ନିଅନ୍ତି ନାହିଁ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବ ଏବଂ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି, ପ୍ରଶାସନ ଏବଂ ବଜାର କମିଟିର ଦାୟିତ୍ୱ ହୀନତା ଯୋଗୁ ଏହା କେବଳ ପଶୁ ଏବଂ ନିଶା ସେବନକାରୀଙ୍କ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଛି । ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରିନଥିବା ଜଣାଯାଇଛି । ଏହି ସ୍ଥାନରେ ଅନେକ ସାମାଜିକ, ସାଂସ୍କୃତିକ ଏବଂ ରାଜନୈତିକ କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ କୌଣସି ବିଧାୟକ କିମ୍ବା ନେତାଙ୍କ ଏଥିପ୍ରତି ସ୍ପୃହା ନାହିଁ । ଏଠାରେ କୌଣସି ବସ ନରହିବାରୁ ଯାତ୍ରୀ ଅସନ୍ତୋଷ ପ୍ରକାଶ କରନ୍ତି ।

ଆଜି ଏହି ସଫେଇ କାର୍ଯ୍ୟରେ ଯୋଗଦେଇ ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି ଆବାହକ ସଂଜୀବ ମହାନ୍ତି କହିଛନ୍ତିଯେ, ଆଗାମୀ ଦିନରେ ବ୍ରହ୍ମଗିରିର ବାହ୍ୟ ପରିବେଶକୁ ସ୍ୱଚ୍ଛ କରାଯିବା ସହିତ ସାମାଜିକ ଏବଂ ରାଜନୈତିକ ପରିବେଶ ସ୍ୱଚ୍ଛ କରିବା ପାଇଁ ଆମ ଆଦମୀ ପାର୍ଟି ସଂକଳ୍ପ ବଦ୍ଧ ହୋଇ ନିଷ୍ଠାର ସହିତ କାର୍ୟ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛି । ଏହି କାର୍ୟ୍ୟକ୍ରମରେ ପୁରୀ ଟିମର ସମୀର ସାମନ୍ତରାୟ, ଅଭିଷେକ ପାଣିଗ୍ରାହୀ, ସତ୍ୟଜିତ୍ ମହାନ୍ତି, ପ୍ରକାଶ ପ୍ରଧାନ, ବଶିଷ୍ଟ ରଥ, ଅନିଲ ସେନାପତି, ରବି ଦାସ, ବିରଜା ପ୍ରସାଦ ନାଥ, ରବି ଏବଂ ଅନ୍ୟ ସଦସ୍ୟଙ୍କ ସହିତ ବ୍ରହ୍ମଗିରିରୁ ଯୁଧିଷ୍ଠିର ବାରିକ, ଅଶୋକ ବାରିକ ଓ ଶୋଭନ ବାରିକଙ୍କ ସହିତ ଅନେକ ସ୍ଥାନୀୟ ଲୋକମାନେ ଏବଂ ସ୍କୁଲ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *