ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି, ୟୁଟ୍ୟୁବରେ ପଢିବେ +୨ ଛାତ୍ରଛାତ୍ରୀ

Spread the love

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛି । ପ୍ରାଥମିକ, ମାଧ୍ୟମିକ ପରେ ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବ୍‌ରେ ପଢ଼ାଇବା ଲାଗି ଅଣ୍ଟା ଭିଡ଼ିଛି। ପ୍ରାଥମିକ ପର୍ଯ୍ୟାୟରେ ଦ୍ଵାଦଶ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଖୁବ୍‌ଶୀଘ୍ର ୟୁଟ୍ୟୁବ୍‌ରେ ଶିକ୍ଷା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୭ଟି ସ୍ଥାନ ଯଥ‌ା ଭୁବନେଶ୍ବରର ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକର ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୁରୀର ଏସ୍‌ଏସ୍‌ସିଏସ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାରିପଦାର ଏମ୍‌ପିସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲେଶ୍ବରର ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଏହି ପାଠପଢ଼ା ଆରମ୍ଭ ହେବ। ତେଣୁ କଲେଜଗୁଡ଼ିକ ଏ ଦିଗରେ ପଦକ୍ଷେପ ନେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିର୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର ଆଜି ଉକ୍ତ ୭ଟି କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି।

ପାଠପଢ଼ା ଲାଗି କଲେଜର ଗୋଟିରୁମ୍‌କୁ ପ୍ରସ୍ତୁତ କରାଯିବ। ଯେଉଁଠାରେ ପର୍ଯ୍ୟାପ୍ତ ଲାଇଟ୍‌ ସୁବିଧା ସହ କାନ୍ଥ ଧଳାରଙ୍ଗ ହୋଇଥିବା ଆବଶ୍ୟକ। ପର୍ଯ୍ୟାପ୍ତ ବିଦ୍ୟୁତ୍‌ ପ୍ଲଗ୍‌ ସହ କୋଠରି ଶୀତତାପ ନିୟନ୍ତ୍ରିତ ହୋଇଥିବା ଆବଶ୍ୟକ। ବିଦ୍ୟାଳୟ ଉନ୍ନୟନ ପାଣ୍ଠିରୁ ଏସି, ଇଲେକ୍ଟ୍ରି ଫିଟିଂ ଓ ଧଳା ରଙ୍ଗ ଲଗାଇବା ପାଇଁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ଯଦି କୌଣସି ଅସୁବିଧା ହୁଏ, ତେବେ ନିର୍ଦେଶାଳୟ ସହ ଯୋଗାଯୋଗ କରିବେ। ଏହି କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ବ୍ୟକ୍ତିଙ୍କ ନାମ‌, ମୋବାଇଲ୍‌ ନମ୍ବର, ହ୍ବାଟସପ୍‌ ନମ୍ବର ଓ ଇ-ମେଲ୍‌ ଆଇଡି ନିର୍ଦେଶାଳୟକୁ ଯେତେ‌ଶୀଘ୍ର ସମ୍ଭବ ପଠାଇବେ। ଫଳରେ ନିୟମିତ ବ୍ୟବଧାନରେ ସେମାନଙ୍କ ସହ ଯୋଗାଯୋଗ କରାଯିବା ସହ ତାଲିମ୍‌ ଦିଆଯିବ।

Leave a Reply

Your email address will not be published. Required fields are marked *