ରେଳ ପଥର ବିକାଶ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କଲେ ରେଳମନ୍ତ୍ରୀ

Spread the love

ବାଲେଶ୍ଵର, (ନାଗରାଜ ନ୍ୟୁଜ): ଦକ୍ଷୀଣ-ପୂର୍ବ ରେଳପଥର ବିକାଶ ସହିତ ବାଲେଶ୍ଵର ଜିଲ୍ଲାର ବାଲେଶ୍ଵର, ନିଳଗିରି, ବସ୍ତା ଓ ଜଳେଶ୍ଵର ଷ୍ଟେସନର ଉନ୍ନତି ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇ ସାରିଥିବା ବେଳେ ଉକ୍ତ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ସହ ତୃତୀୟ ଲାଇନର ଶୁଭାରମ୍ଭ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସୂଚନା ଅନୁସାରେ ଦକ୍ଷିଣ-ପୂର୍ବ ରେଳପଥ ପଶ୍ଚିମବଙ୍ଗର ଖଡ଼ଗପୁର ଠାରୁ ଓଡ଼ିଶାର ଭଦ୍ରକ ପର୍ୟ୍ୟନ୍ତ ଥିବା ବେଳେ, ଓଡ଼ିଶାରେ ଥିବା ରେଳ ଷ୍ଟେସନ ଗୁଡ଼ିକ ପ୍ରତି ଖଡ଼ଗପୁର ଡିଭିଜନର ବୈମାତୃକ ମନୋଭାବ ଯୋଗୁଁ ପ୍ରାୟତଃ ସମସ୍ତ ଷ୍ଟେସନ ଗୁଡ଼ିକର ଉନ୍ନତି ଦେଖିବାକୁ ମିଳୁନଥିଲା ।

ତେବେ କେନ୍ଦ୍ର ରେଳମନ୍ତ୍ରୀ ଭାବରେ ବାଲେଶ୍ଵରର ପୂର୍ବତନ ଜିଲ୍ଲାପାଳ ଅଶ୍ୱନୀ ବୈଷ୍ଣବ ଆସିବା ପରେ ବିଭିନ୍ନ ସ୍ଥାନରେ ଶିଳାନ୍ୟାସ କାର୍ୟ୍ୟ ଜାରି ରହିଛି । ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଆଜି ବାଲେଶ୍ଵର ଜିଲ୍ଲାର ବାଲେଶ୍ଵର ସଦର, ନିଳଗିରି, ବସ୍ତା ଏବଂ ଜଳେଶ୍ଵରରେ ନୂତନ ଷ୍ଟେସନର ଶିଳାନ୍ୟାସ ସହ ସାଧାରଣ ସଭାରେ ଯୋଗଦେଇଥିଲେ । ବସ୍ତା ଷ୍ଟେସନରେ ବିଜେପି, କଂଗ୍ରେସ, ବରିଷ୍ଠ ନାଗରିକ ମଞ୍ଚ, ବସ୍ତା ଜନସାଧାରଣ ଏବଂ ରେଳ ସୁରକ୍ଷା କମିଟି ପକ୍ଷରୁ ଓଭରବ୍ରିଜ ନିର୍ମାଣ, ଏକ୍ସପ୍ରେସ ଟ୍ରେନ ରହଣି, ଅଧିକ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଦାବି ପତ୍ର ଦିଆଯାଇଥିବାବେଳେ ଜଳେଶ୍ଵରରେ ଏକ୍ସପ୍ରେସ ଟ୍ରେନ ସହିତ ସାପ୍ତାହିକ ଟ୍ରେନ ରହଣି, ମାଲଗୋଦାମ ଏବଂ ଅଧିକ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଦାବି ପ୍ରଦାନ କରାଯାଇଛି । ତେବେ ମନ୍ତ୍ରୀ ସମସ୍ତ ଦାବି ଖୁବଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

Leave a Reply

Your email address will not be published. Required fields are marked *