ସ୍ବେଛାକୃତ ରକ୍ତଦାନ ଶିବିର

Spread the love

ପୁରୀ,(ନାଗରାଜ ନ୍ୟୁଜ): ବିଶ୍ଵର ବିଭିନ୍ନ ଦେଶ ଯୁଦ୍ଧ ବିଭୀଷିକା ଓ ଆତଙ୍କବାଦରେ ମାତିଯାଇ ଜନଗଣଙ୍କୁ ରକ୍ତାକ୍ତ କରୁଥିବା ବେଳେ,ଆହତ, ଅସହାୟ , ନିଃସହାୟ ଓ ଆହତ ରକ୍ତାନ୍ତଙ୍କୁ ଯେଉଁଠି ରକ୍ତଦାନ କରାଯାଏ,ସେ ମୋ ଭାରତବର୍ଷ -ମୋର ପୂଣ୍ୟ ଜନ୍ମଭୂମୀ।ଏଇ ହେଉଛି ସେଇ ଉତ୍କଳଭୂମୀ ଯେଉଁଠି ରକ୍ତଦାତାଟିଏ ଜାତି-ବର୍ଣ୍ଣ-ଧର୍ମ ନିର୍ବିଶେଷରେ ରକ୍ତଦାନ କରି ଉଲ୍ଲସିତ ହୁଏ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟ ସ୍ବେଛାକୃତ ରକ୍ତଦାତା ମହାସମାବେଶକୁ ଉଦଯାପନ କରିବା ଅବସରରେ, ଓଡ଼ିଶା ର ୨୮ଟି ଜିଲ୍ଲାର ତିନିଶହ ପ୍ରତିନିଧିଙ୍କୁ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି କହିଛନ୍ତି।ସେ କହିଥିଲେ ଯେ ରକ୍ତଦାତା ଜଣେ ଜଣେ ଈଶ୍ଵର,ଯେ ରକ୍ତ ଭଳି ଦାନ ରେ ଭାବ ଓ ଭକ୍ତି ରେ ସମର୍ପିତ ହୋଇ ଆତ୍ମତୃପ୍ତି ରେ ହସିଦେଇ ପାରେ। ଶ୍ରୀକୃଷ୍ଣ -ଯଶୋଦା ଓ ଶ୍ରୀରାମ -ଶର୍ବରୀ ମଧ୍ୟରେ ରକ୍ତଗତ ସଂପର୍କ ନଥାଇ ବାତ୍ସଲ୍ୟ ମମତା ପରି ରକ୍ତଦାତା ଅଜଣା -ଅଚିହ୍ନାକୁ ରକ୍ତଦାନ କରି ଯେଉଁ ତ୍ୟାଗ ର ପରିଚୟ ଦିଏ,ତାହା କର୍ମଯୋଗ ଓ ଭକ୍ତିଯୋଗ ଠାରୁ ବହୁ ଉର୍ଦ୍ଧ୍ବ ରେ। ମହାସମାବେଶ ର ମୁଖ୍ୟ ସଂଯୋଜକ ତଥା ଶତକ ରକ୍ତଦାତା ରକ୍ତଵୀର ବଦ୍ରି ମିଶ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ ସ୍ବେଛାକୃତ ରକ୍ତଦାନ ରେ ପ୍ରୋତ୍ସାହିତ ହୋଇ,ରାଜ୍ୟ ସରକାର ରାଜନୀତି ରୁ ଉର୍ଦ୍ଧ୍ବ ରେ ରହି ଓଡ଼ିଶା ମୋ ପରିବାର ମାଧ୍ୟମରେ ରକ୍ତଦାନ କୁ ଏକ ଆନ୍ଦୋଳନରେ ପରିଣତ କରିଛନ୍ତି। ତେବେ ସମର୍ପଣ ର ଏହି ରାଜ୍ୟ ସମାବେଶ ରକ୍ତଦାତା -ରକ୍ତଦାତା ମଧ୍ୟରେ ରକ୍ତଗତ ସଂପର୍କ ସୃଷ୍ଟି କରିବ। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ର ମିଳିତ ସହଯୋଗରେ ପୁରୀ ର ବିକାଶ ହେଉଥିବା ବେଳେ, ଭକ୍ତ ଓ ପର୍ଯ୍ୟଟକମାନଙ୍କ ବୃହତ୍ତମ ସ୍ବାର୍ଥ ପାଇଁ ସରକାର ପୁରୀ ରେ ଅତ୍ୟାଧୁନିକ ରକ୍ତ ଵିଭକ୍ତିକରଣ ଯନ୍ତ୍ର ର ବ୍ୟବସ୍ଥା କରିବା ସହ ପୁରୀ ବ୍ଲଡଵ୍ୟାଙ୍କ୍ ତଥା ରେଡକ୍ରସ ର ଅଧ୍ୟକ୍ଷ ପୁରୀ ଜିଲ୍ଲାପାଳ, ରକ୍ତଦାନ କରୁଥିବା ସ୍ବେଛାସେବୀ ଅନୁଷ୍ଠାନ ର ସହଯୋଗ ନେଇ, ପୁରୀ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଯୁବଗୋଷ୍ଠୀଙ୍କୁ ରକ୍ତଦାନ ପାଇଁ ଅଧିକ ରୁ ଅଧିକ ସଚେତନ କରିବା ଆବଶ୍ୟକ।ଏହି ସମାବେଶରେ ସମର୍ପଣ ର ସଭାପତି ଡ଼ଃ ଅଭିମନ୍ୟୁ ଭୂୟାଁ ସଭାପତୀୟ ଭାଷଣ ପ୍ରଦାନ ଓ ସଂପାଦିକା ଜୟନ୍ତୀ ମହାପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ, ଉତ୍ସବ କମିଟି ଅଧ୍ୟକ୍ଷ ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ମହାସମାବେଶ ଉପଲକ୍ଷେ ସକାଳୁ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କ ନେତୃତ୍ବ ରେ ଶ୍ରୀମନ୍ଦିର ର ସିଂହଦ୍ବାର ଠାରୁ ସଚେତନତା ରାଲି ସମ୍ମିଳନୀ କକ୍ଷରେ ପହଞ୍ଚିବା ପରେ , ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାକୁ ଉଦଘାଟନ କରି ପୁରୀ ରେ ରାଜ୍ୟ ରକ୍ତଦାତା ମହାସମାବେଶ ର ସଫଳତା କାମନା କରିବା ସହ ରକ୍ତଦାତା ତଥା ପ୍ରକୃତିପ୍ରେମୀ ଅକ୍ଷୟ ଜୟସିଂହଙ୍କୁ ସମ୍ମାନିତ କରିଥିଲେ। ଉଦଯାପନୀ ଉତ୍ସବରେ ‌ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ମହାସମାବେଶ ର ବୁଲେଟିନ “ରକ୍ତଦାତା” ଓ ସମର୍ପଣ ର ୱେବ ସାଇଟ କୁ ଉନ୍ମୋଚନ କରିଥିଲେ।ଏହି ଅବସରରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିସ୍ମିତା ମହାନ୍ତି,କୃଷ୍ଣଚନ୍ଦ୍ର ପାତ୍ର, ଗୋବିନ୍ଦ ପାତ୍ର, ଶିବ ନାରାୟଣ ସେନାପତି,ବିଭୁଦତ୍ତ ସୁବୁଦ୍ଧି, ଶୁଭେନ୍ଦୁ ସାମନ୍ତରାୟ, ବିଭୁପ୍ରସାଦ ସାହୁ, ଡକ୍ଟର ସଂଗ୍ରାମ କେଶରୀ ଜେନା,ଶିବାନୀ ଶୁଭ୍ରଜ୍ୟୋତି, ପ୍ରଶାନ୍ତ ବିଶି,,ପ୍ରବୀର ଦାସ ଓ କୋଭିଡ ଯୋଦ୍ଧା ଭାବେ ମାତିସ ମାନଵେସ୍ ଏବଂ ଆଲିସା ପ୍ରମୁଖଙ୍କୁ ରାଜ୍ୟପାଳ ସମ୍ମାନିତ କରିଥିଲେ।ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ମନୋଜ ସାହୁ, ଉପଦେଷ୍ଟା ରାଜକିଶୋର ପାତ୍ର,ଗିରିଶ ନାୟକ ପ୍ରମୁଖ ମଞ୍ଚାସୀନ ଥିବାବେଳେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କେଦାରନାଥ ମହାପାତ୍ର, ସୌମ୍ୟରଞ୍ଜନ ପାତ୍ର,ସାଗରିକା ରଥ ଓ ଶକ୍ତି ମିଶ୍ର ।ଶିବାନୀ ଶୁଭ୍ରଜ୍ୟୋତି ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *