ଆଜିଠୁ ଆରମ୍ଭ ବଡ ଦେଉଳ ଭିତରେ ଚନ୍ଦନ ଯାତ୍ରା ନୀତି

Spread the love

ପୁରୀ: ଆଜିଠୁ କାଳିଆ ସାଆନ୍ତଙ୍କ ଶ୍ରୀମନ୍ଦିର ଭିତରେ ଚନ୍ଦନ ନୀତି ଆରମ୍ଭ ହେଉଛି । ୪୨ ଦିନ ବ୍ୟାପୀ ଚନ୍ଦନଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେବ। ୨୧ ଦିନ ବାହାର ଚନ୍ଦନ ଯାତ୍ରା ସରିବା ପରେ ଶ୍ରୀମନ୍ଦିର ଭିତରେ ଚନ୍ଦନ ନୀତି ହେବ।

ଜାତ ଭୋଗ ସହ ମଧ୍ୟାହ୍ନ ଧୂପ ଆଜି ଏକାଠି ଉଠିବ। ଜାତ ଭୋଗ ପରେ ମଦନମୋହନ ଓ ମା’ଲକ୍ଷ୍ମୀ ଜଳକ୍ରୀଡ଼ା ମଣ୍ଡପକୁ ବିଜେ କରିବା ପରେ ଜଳକ୍ରୀଡ଼ା ନୀତି ସମାପନ କରାଯିବ।

ଭିତର ଚନ୍ଦନ ଯାତ୍ରାରେ ୪ଟି ଜଳକ୍ରୀଡ଼ା ନୀତି ସମ୍ପନ୍ନ ହୋଇଥାଏ। ଏକାଦଶୀ ତିଥିରେ ପ୍ରଥମ, ସାବତ୍ରୀରେ ଦ୍ୱିତୀୟ, ଶୀତଳ ଷଷ୍ଠୀ ଏବଂ ଶେଷରେ ରୁକୁଣା ହରଣ ଏକାଦଶୀରେ ଆଉ ଏକ ଜଳକ୍ରୀଡ଼ା ନୀତି ହୁଏ।

ତକାଲି ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରାର ଶେଷ ପର୍ବ ‘ହଳଦୀ ପାଣି’ ଉତ୍ସବ ସମ୍ପନ୍ନ ହୋଇଛି । ଠାକୁରେ ହଳଦୀ ପାଣିରେ ପିଚ୍‌କାରୀ ଖେଳିଛନ୍ତି । ଏହି ଅବସରରେ ଶ୍ରୀବିଗ୍ରହଙ୍କ କେବଳ ଦିନ ଚାପ ଅନୁଷ୍ଠିତ ହୋଇଛି । ଅପରାହ୍ନ ୫ଟା୫୫ ମିନିଟ୍‌ରେ ଚାପ ଆରମ୍ଭ ହୋଇଥିଲା । ଠାକୁରଙ୍କ ପୂଜାର୍ଚ୍ଚନା ସହ ବନ୍ଦାପନା ନୀତି ବଢିଥିଲା ।

ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଶ୍ରୀମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମକୃଷ୍ଣ, ପଞ୍ଚମହାଦେବ ଶ୍ରୀଜମ୍ୱେଶ୍ୱର, ଶ୍ରୀଲୋକନାଥ, ଶ୍ରୀକପାଳମୋଚନ, ଶ୍ରୀମାର୍କଣ୍ଡେୟ ଓ ଶ୍ରୀନୀଳକଣ୍ଠେଶ୍ୱର ବିଜେ ହୋଇଥିଲେ ।

Leave a Reply

Your email address will not be published. Required fields are marked *