ଆଜି ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ

Spread the love

ପୁରୀ, (ନାଗରାଜ ନ୍ୟୁଜ): ଆଜି ବୁଧବାର ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ପାରମ୍ପରିକ ବେଶ କାରିଗରମାନେ ହବିଷ୍ୟାନ୍ନ ଗ୍ରହଣ କରି ଅତି ନିଷ୍ଠାର ସହିତ ଏହି ବେଶ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ପଣ୍ତୁ ପୁର୍ଣ୍ଣିମା ଠାରୁ ମହାପ୍ରଭୁଙ୍କ ପାଇଁ ପଦ୍ମବେଶ ପ୍ରସ୍ତୁତ ଆରମ୍ଭ ହୋଇଛି । ସୋଲ, ଜରି, ଜମ୍ବୁରା, କଇଁଥ ଅଠା, ବାଉଁଶ, ବେତ ଓ ବିଭିନ୍ନ ପ୍ରକାରର କନା ବ୍ୟବହାର କରି ଏହି ବେଶ ତିଆରି କରାଯାଉଛି । ଏହି ବେଶ ନିର୍ମାଣ କାର୍ୟ୍ୟରେ ଦରଜି ଓ ଚିତ୍ରକର ସେବକ ମଧ୍ୟ ନିୟୋଜିତ ହୋଇଥାନ୍ତି । ଆବଶ୍ୟକ ସୋଲ ସଂଗ୍ରହ କରାଯାଇ ତାକୁ କଟାଯିବା ପରେ ପରସ୍ତ ପରସ୍ତ କରି ଯୋଡ଼ାଯାଇ ଶ୍ରୀମୁଖ ପଦ୍ମ ଆକୃତିର ପ୍ରସ୍ତୁତ କରାଯାଏ । କରପଲ୍ଲଭ, ହଂସ ଓ ଡ଼ାଳିର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଶ୍ରୀମୁଖ ପଦ୍ମ ଯୋଡ଼ାଯିବା କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହୋଇଯିବ ବୋଲି କହିଛନ୍ତି ବେଶ କାରିଗର ।

ମହାପ୍ରଭୁଙ୍କ ବଡ଼ ସିଂହାର ବେଶରେ ଏହି ପଦ୍ମ ବେଶ ଅନୁଷ୍ଠିତ ହେବ । ସେପଟେ ଏହି ବେଶରେ ମହାପ୍ରଭୁ ରାତ୍ର ପହୁଡ଼ ହୋଇଥାନ୍ତି । ଏଣୁ ଗୁରୁବାର ସକାଳେ ମହାପ୍ରଭୁଙ୍କ ମଂଗଳଆଳତି ସମୟ ରେ ଭକ୍ତମାନେ ପଦ୍ମ ବେଶ ଦର୍ଶନ କରିବାର ସୁଯୋଗ ପାଇବେ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି । ସେହିପରି ସରସ୍ୱତୀ ପୂଜା ଦିନ ମଧ୍ୟ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିବ । ଅନ୍ୟପଟେ ପରମ୍ପରା ଅନୁଯାୟୀ ନୟାଗଡ଼ ରଥ ନିର୍ମାଣ ପାଇଁ ଆସିଥିବା ପ୍ରଥମ ପର୍ଯ୍ୟାୟ କାଠରୁ ୩ଟି ଧଉରା କାଠ ସ୍ୱରସ୍ୱତୀ ପୂଜା ଦିନ ରଥ ଖଳା ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରାଯାଇ ରଥ କାଠ ଅନୁକୁଳ ହେବ। ପରେ ନୟାଗଡ଼ରୁ ବିଭିନ୍ନ ପର୍ଯ୍ୟାୟରେ ରଥ କାଠ ଆସିବା ପରେ ଆଗାମୀ ଅକ୍ଷୟ ତୃତୀୟା ତିଥିରେ ଚଳିତବର୍ଷ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ଅନୁକୁଳ ହେବ ।

Leave a Reply

Your email address will not be published. Required fields are marked *