ସୁର୍ଡ଼ାରେ ଆଦିବାସୀ ମେଳି ଅନୁଷ୍ଠିତ

Spread the love

ଟିଟଲାଗଡ଼, (ନାଗରାଜ ନ୍ୟୁଜ): ଆଦିବାସୀ ଅଧ୍ୟୁଷିତ ଟିଟିଲାଗଡ଼ ବ୍ଲକ ସୁର୍ଡ଼ା ଗାଁରେ ଉପଖଣ୍ଡ ସ୍ତରୀୟ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ବେଶ ଭୂଷା ଏବଂ ଅସ୍ତ୍ରଶସ୍ତ୍ର ସହିତ ଡକା ଢ଼ାପ ବାଦ୍ୟର ତାଳେ ତାଳେ ଆଦିବାସୀମାନେ ନିଜର ପ୍ରାଚୀନ ନୃତ୍ୟ ଗୀତ ପରିବେଷଣ କରି ଗାଁ ପରିକ୍ରମା କରିଥିଲେ । ଯାନୀ ଝାଙ୍କର ଦେହେରୀ ସହିତ ଆଦିବାସୀଙ୍କ ଇଷ୍ଟ ଦେବୀ ଜାଡେନ, ଧରନୀ ଓ ଚକ୍ରଧାରଙ୍କୁ ପୂଜାପାଠ କରିଥିଲେ । ପରେ ଉତ୍କଳ କନ୍ଧ ସମାଜ ଲୁହା ପ୍ରଗଣା ସଭାପତି ଚୈତନ୍ୟ ମାଝିଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଶିକ୍ଷା ଅଧିକାର ଆଇନ ଅନୁସାରେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ କିସ ଢାଞ୍ଚାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନିଃଶୁଳ୍କ ପୋଷ୍ଟ ଗ୍ରାଜୁଏଟ ପର୍ୟ୍ୟନ୍ତ ଉଚ୍ଚ ଶିକ୍ଷା ପ୍ରଦାନ, ଗୁଣାତ୍ମକ ଶିକ୍ଷା, ବୈଷୟିକ ଶିକ୍ଷା ପ୍ରଦାନ, ନକଲି ଆଦିବାସୀ କର୍ମଚାରୀମାନଙ୍କୁ ଚାକିରୀରୁ ବହିସ୍କୃତ, ବେ ଆଇନ ଦଖଲ ସୂତ୍ରରେ ଅଣ ଆଦିବାସୀଙ୍କ କବ୍ଜାରେ ଥିବା ଆଦିବାସୀ ଜମି ଫେରସ୍ତ, ଆଦିବାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି, ମେଡିକାଲ ଇଞ୍ଜିନିୟରିଙ୍ଗ ଶିକ୍ଷାନୁଷ୍ଠାନରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ୨୩ % ସ୍ଥାନ ସଂରକ୍ଷଣ, ଦାଦନ ଚାଲାଣ ରୋକିବା ପାଇଁ ଗରିବ ଆଦିବାସୀମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ, ଏଟ୍ରୋସିଟି ମାମଲାରେ ପୀଡିତ ପରିବାରକୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ନିର୍ଜାତନା ନିବାରଣ ଆଇନ ଅନୁସାରେ ସୁରକ୍ଷା ପ୍ରଦାନ, ଆଦିବାସୀ ସଂସ୍କୃତି ପୀଠର ସୁରକ୍ଷା କରିବା ଓ ଆଦିବାସୀଙ୍କ ଜମି, ଜଳ, ଜଙ୍ଗଲ, ଜୀବନ ଓ ଜୀବିକାର ସୁରକ୍ଷା ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଆଦିବାସୀ ମାନେଦାବି କରିଥିଲେ ।

ଆଦିବାସୀଙ୍କ ସମସ୍ୟା ସମାଧାନ କରିବା ଦିଗରେ ସରକାର ଅବହେଳା କଲେ ସାଲିସ ବିହୀନ ସଂଗ୍ରାମ କରିବାକୁ ଆଦିବାସୀମାନେ ଚେତାବନୀ ଦେଇଥିଲେ । ମହାମେଳି ମଞ୍ଚରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ଆଦିବାସୀ ନେତା ଅବସର ପ୍ରାପ୍ତ ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧରୁଆ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ୟ୍ୟକାରୀ ସଭାପତି ବନଳତା ମାଝି, ଗୀତାଞ୍ଜଳି ଭୋଇ, ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ମୁରିବାହାଲ ବ୍ଲକ ସଭାପତି ଘିମାନନ୍ଦ ଭୋଇ, ସଦର ବ୍ଲକ ଉପସଭାପତି ଅଚ୍ୟୁତ ଧରୁଆ, ନଗର ସଭାପତି ନିତ୍ୟାନନ୍ଦ ମାଝି, ଉପସଭାପତି ଇନ୍ଦ୍ରମଣି ମାଝି, ଥବିର ପୂଝାରୀ, ଜିଲ୍ଲା ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ପ୍ରଫୁଲ୍ଲ ପ୍ରଧାନୀ, ସୁଶୀଲ ଭୋଇ, ସୁନୀଲ ମାଝି, ପତ୍ରଙ୍ଗି ମାଝି ଓ ରୀନା ମାଝି ପ୍ରମୁଖ ମଞ୍ଚାସୀନ ଥିଲେ ।

Leave a Reply

Your email address will not be published. Required fields are marked *