କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ ଦାବିକଲା ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଙ୍ଘ


ବଲାଙ୍ଗିର, ( ନୀଳାଞ୍ଚି ବିଶି ): ନୁଆଁପଡ଼ା ଜ଼ିଲ୍ଲା ବିଦ୍ୟୁତ ବିଭାଗର କୁରୁମପୁରୀ ସେକ୍ସନ ଅଧିନସ୍ଥ ଠିକପାଲି ଗାଁରେ ବିଦ୍ୟୁତ ସବଷ୍ଟେସନରେ ମରାମତି କାର୍ଯ୍ୟ କରୁଥିବା ସମୟରେ ସେହି ଗାଁର ଡୋଲାମଣି ପାଢ଼ୀ ଏବଂ ରୁନୁ ପାଢ଼ୀ କାର୍ଯ୍ୟରତ ଲାଇନମେନ ଧନଞ୍ଜୟ ଶବରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଦୁଇହାତକୁ ବାନ୍ଧି ନିସ୍ତୁକ ମାଡ ମାରିବା ସହିତ, ତଣ୍ଟି ଚିପି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ବିଦ୍ୟୁତ କର୍ମଚାରୀ ଖସିଯିବାର ଉଦ୍ୟମ କରିବାରୁ ଅପରାଧୀ ମାନେ ଗୋଡେଇ ଗୋଡେଇ ଲାଇନମେନଙ୍କୁ ଚପଲରେ ପିଟିଥିଲେ । ଲାଇନମେନଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଫିଙ୍ଗି ଦେଇଥିଲେ ।

ପରେ ଲାଇନମେନ ଶବରଙ୍କ ସହକର୍ମୀ ଘଟଣାସ୍ଥଳକୁ ଯାଇ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ବିଭାଗୀୟ ସେକ୍ସନ ଅଫିସର, ଏସଡ଼ିଓ,ଏବଂ ବିଦ୍ୟୁତ କର୍ମଚାରୀ ସହିତ କୋମନା ଥାନା କୁ ଯାଇ ପୀଡିତ ଲାଇନମେନ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତି କରି କୋମନା ଥାନା କେଶ ସଂ.୨୧୮/୪.୮. ୨୦୨୧ ଭାରତୀୟ ପିଙ୍ଗଳ କୋଡ଼ ୧୮୬୦ର ଦଫା ୩୪୧, ୨୯୪, ୩୨୩, ୩୫୩, ୩୫୫, ୫୦୬, ୪୨୭, ୩୪ ଏବଂ ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ନିର୍ଯାତନା ନିବାରଣ ୧୯୮୯ସଂଶୋଧନ ଆଇନ ୨୦୧୫ର ଦଫା ୩ ୧ ଆର ଏସ, ୩ ୨ ଭି ଏ ରେ ମାମଲା ଦାୟର ହୋଇଛି ।

ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଗତ ସୋମବାର ଦିନ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ଉପସଭାପତି ଭାନୁପ୍ରତାପ ସିଂ ମାଝିଙ୍କ ନେତୃତ୍ୱ ରେ ମହାସଚିବ ନିରଞ୍ଜନ ବିଶି, ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, ମୁଖ୍ୟ ଉପଦେଷ୍ଟା ହୋମ ସିଂ ମାଝି, ଧନଞ୍ଜୟ ଶବର ପ୍ରମୁଖ ନୂଆପଡା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଆଲୋଚନା କରିଥିଲେ । ନୂଆପଡା ଜ଼ିଲ୍ଲାପାଳଙ୍କୁ ମଧ୍ୟ ସ୍ମାରକପତ୍ର ପ୍ରଦାନ କରିଥିଲେ । ଦୋଷୀ ମାନଙ୍କୁ ଗିରଫ କରିବା ପାଇଁ ଆରକ୍ଷୀ ଅଧିକ୍ଷକ ପ୍ରତିଶୃତି ଦେଇଥିଲେ, କିନ୍ତୁ ଆଲୋଚନାର ତିନି ଦିନ ବିତିଯାଇଥିଲେ ସୁଦ୍ଧା ଅପରାଧୀ ମାନଙ୍କୁ ପୋଲିସ ଘଣ୍ଟ ଘୋଡାଉଥିବାରୁ ଆଦିବାସୀ ମହାସଙ୍ଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ।

ଏଟ୍ରୋସିଟି ଆକ୍ଟ, ଆଇପିସି ଏବଂ ଏସମା ଏକ୍ଟରେ ଅଭିଯୁକ୍ତ ମାନଙ୍କୁ ଗିରଫ ନକଲେ ଆସନ୍ତା ଶନିବାର ଦିନ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ମହାସଙ୍ଘ ଚେତାବନୀ ଦେଇଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଲେ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ମହାସଙ୍ଘର ମହାସଚିବ ନିରଞ୍ଜନ ବିଶି, ଯୋଗେନ୍ଦ୍ର ଭୋଇ, ଭାନୁପ୍ରତାପ ସିଂମାଝି, ଉଷ୍ମନ ମୁଣ୍ଡା, ବାଳକୃଷ୍ଣ ଶବର ପ୍ରମୁଖ ଜଣାଇଛନ୍ତି ।

Leave a Reply

Your email address will not be published.