ସଂଗୀତ ଓ ସାହିତ୍ୟର ଅପୂର୍ବ ସଂଯୋଗରେ ନାଚି ଉଠିଲା ଅନନ୍ୟା ମଞ୍ଚ

 

ବାଲେଶ୍ୱର, (ନାଗରାଜ ନ୍ୟୁଜ): ସୁନ୍ଦର ମୋ ଭାଷା ସାହିତ୍ୟ, ଜମ୍ଭରା, କେନ୍ଦୁଝରର ୬୫ ତମ ଅନନ୍ୟା ଅଡିଓ ଆସର ମହା ସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନ ମୁଖ୍ୟ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆସରରେ ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତଜ୍ଞ ବସନ୍ତ ମିଶ୍ର ମୁଖ୍ୟ ଅତିଥି, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସୁସାହିତ୍ୟିକ ପିନାକୀ ମିଶ୍ର ବରେଣ୍ୟ ଅତିଥି ଓ ଅନନ୍ୟା ଉପଦେଷ୍ଟା ଡା. ମହେନ୍ଦ୍ର ପ୍ରସାଦ ଦାସ ଉପସ୍ଥିତ ଥିଲେ । ସୁଶ୍ରୀ ଆରାଧ୍ୟା ସେନାପତିଙ୍କ ସ୍ୱାଗତ ଶଙ୍ଖଧ୍ୱନି ତଥା ବୀଣା ସାହୁଙ୍କ ଗଣପତି ବନ୍ଦନାରେ ପୁଲକିତ ମଞ୍ଚରେ ବଡ଼ବିଲର ଅଙ୍କିତା ଦାଶ, କେନ୍ଦୁଝରର ପ୍ରତାପ ରାଉତ ଓ ଆନନ୍ଦପୁରର ଉଜ୍ଜ୍ଵୟିନୀ ମିଶ୍ରଙ୍କ ଭକ୍ତି ସଂଗୀତ ଏକ ସୁନ୍ଦର ମଧୁମୟ ପରିବେଶ ସୃଷ୍ଟି କରିଥିଲା ।

ମୁଖ୍ୟ ଅତିଥୀଙ୍କ ସଙ୍ଗୀତର ଝଙ୍କାର ତଥା ବରେଣ୍ୟ ଅତିଥୀଙ୍କ ସାହିତ୍ୟର ନିନାଦରେ ଏକ ମଧୁର ସଙ୍ଗମ ସୃଷ୍ଟି ହୋଇଥିଲା । ତତ୍ପରେ ବିନୋଦିନୀ ଦାଶ, ପ୍ରଫୁଲ୍ଲ କୁମାର ହୋତା ଓ କୁମାର ଷ୍ଟାର୍ଲିନଙ୍କ ନିରୀକ୍ଷଣରେ କବିତା ପାଠ ଓ ସଂଗୀତ ଗାନ କରାଯାଇଥିଲା । ଡ଼ଃ ନୀଳାଦ୍ରୀ ଜଗଦେବ, ତୃପ୍ତିରାଣୀ ପାତ୍ର, ବିଷ୍ଣୁପ୍ରସାଦ ମିଶ୍ର, ଅଶୋକ ପାଢ଼ୀ ଓ ବାଲେଶ୍ୱର ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ପରିଚାଳନାରେ ଅନନ୍ୟା ପ୍ରତିଭା ମାନସୀ ବେହୁରା, ସଞ୍ଜୟ ମିଶ୍ର, ଶକୁନ୍ତଳା ମିଶ୍ର, ରୁକ୍ମଣୀ ସାହୁ ଓ ଦୀପ୍ତିଦେବଦର୍ଶିନୀ ସୁତାର ସମେତ ମୋଟ ୩୫ ଜଣ କବି କବୟିତ୍ରୀମାନଙ୍କର ଅଭିନବ କୃତି ପ୍ରଦର୍ଶନ ଏକ ମନୋରମ ପରିବେଶ ସୃଷ୍ଟିକରିଥିଲା । ଅନନ୍ୟା ସଂଚାଳକ ପ୍ରଭଞ୍ଜନ ତ୍ରିପାଠୀଙ୍କ ଅଭିନୟ ଖୁବ ସୁନ୍ଦର ଥିବାବେଳେ ଅନନ୍ୟା ପ୍ରତିଭା ଶ୍ରଦ୍ଧେୟ ଅଂଶୁମାନ ସ୍ବାଇଁଙ୍କ ଜନ୍ମଦିନ ପାଳନ ଏକ ଭାଇଚାରା ସୃଷ୍ଟି କରିଥିଲା ।

ଏହି ଆସରରେ ସୁଦ୍ରୁମା ପଣ୍ଡା ଅନୁଭୂତି ପ୍ରଦାନ,ସ୍ୱାଗତିକା ସାହୁ ଅନୁଷ୍ଠାନ ବାର୍ତ୍ତା ପ୍ରଦାନ ଓ ହାସ୍ୟମୟୀ ରାଜ ଶାନ୍ତିପାଠ ଗାନ କରିଥିବାବେଳେ ସଂଯୁକ୍ତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବାଲେଶ୍ୱର ସାମ୍ବାଦିକ, କବି ତଥା ଅନୁଷ୍ଠାନର ଜଣେ ସଦସ୍ୟ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ଅନୁଷ୍ଠାନର ଭବିଷ୍ୟତ କାମନା କରିଥିଲେ ।

Leave a Reply

Your email address will not be published.