୫୫ ନଂ ଜାତୀୟ ରାଜପଥ ସଂପ୍ରସାରଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ଧାରଣା, ସାମିଲ ହେଲେ ବିଜେଡି ସାଂସଦ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ଆଜକୁ ୫ ବର୍ଷରୁ ଉର୍ଦ୍ଧ ସମୟ ଧରି ଏହାର ସଂପ୍ରସାରଣ କାର୍ଯ୍ୟ ଚାଲୁଛି ଯେ ସରିବାର ନାଁ ନେଉନି । ରାସ୍ତା କାମରେ ଅହେତୁକ ବିଳମ୍ବ ଯୋଗୁଁ ରାସ୍ତାଟି ସଂପୂର୍ଣ୍ଣ ଶେଷ ହୋଇନପାରି ଖାଲଖମଣରେ ପରିଣତ ହୋଇଛି । ବିଭିନ୍ନ ସମୟରେ ଛୋଟବଡ ଦୁର୍ଘଟଣାମାନ ଘଟି ଧନଜୀବନ ହାନୀ ହେବା ସହିତ ଅନେକ ମୃତ୍ୟୁବରଣ କଲେଣି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟର ପ୍ରତିବାଦରେ ଢେଙ୍କାନାଳର ବିଭିନ୍ନ ସଂଗଠନ ପକ୍ଷରୁ ଏକାଧିକ ଥର ଆନ୍ଦୋଳନ ହୋଇଥିଲେ ମଧ୍ୟ ରାସ୍ତାକାମ ଯେପରି ଅଗ୍ରଗତି ହେବା କଥା ସେପରି ହୋଇପାରୁନାହିଁ । ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ପୁନଶ୍ଚ ରାସ୍ତା ସଂପ୍ରସାରଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଧାରଣାରେ ଖୋଦ ବିଜେଡ଼ି ସାଂସଦ ମହେଶ ସାହୁ ସାମିଲ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି l

ଏହି ଘଟଣା ସାଂସଦ ଶ୍ରୀ ସାହୁ ଉଭୟ ଜିଲ୍ଲା ପ୍ରଶାସନ ଏବଂ କେନ୍ଦ୍ର ସରକାରଙ୍କ ବିଫଳତାକୁ ଦାୟି କରିଛନ୍ତି l ଆମ ପ୍ରତିଭା ଆମ ସମ୍ମାନ ଓ ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ମିଳିତ ଆହ୍ୱାନରେ ଦିଆଯାଇଥିବା ଏହି ଧାରଣାରେ ଢେଙ୍କାନାଳର ଓକିଲ ସଂଘ, ଜିଲ୍ଲା ସାମ୍ବାଦିକ ସଂଘ, ବ୍ୟବସାୟୀ ସଂଘ, ମିଳିତ ବଜାର ପୂଜା କମିଟି ସଦସ୍ୟ, ବଜାର କମିଟି ସଭାପତି, ସଂପାଦକ ଏବଂ ଅନ୍ୟାନ୍ୟ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାମିଲ ହୋଇଛନ୍ତି । ଏହି ଧାରଣା ପରେ ଜିଲ୍ଲା ପ୍ରଶାସନ ଏବଂ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦେଶକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯଦି ଜାତୀୟ ରାଜପଥ କାର୍ଯ୍ୟକୁ ତ୍ୱରାନ୍ୱିତ ନକରନ୍ତି ତେବେ ଆଗାମୀ ଦିନରେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରି ଢେଙ୍କାନାଳ ବନ୍ଦ କରାଯିବ ବୋଲି ଆନେ୍ଦାଳନକାରୀ ବକ୍ତାମାନେ ବକ୍ତବ୍ୟରେ କହିଛନ୍ତି ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.