ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ,(ନାଗରାଜ ନ୍ୟୁଜ): ପ୍ରାକୃତିକ ବିପର୍ଯ୍ୟୟକୁ ବନ୍ଦ କରାଯାଇ ପାରିବ ନାହିଁ। କିନ୍ତୁ ସଚେତନ ଓ ସତର୍କ ହେଲେ ବିପର୍ଯ୍ୟୟର ପ୍ରଭାବ ଓ କ୍ଷୟକ୍ଷତିକୁ ରୋକାଯାଇ ପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ମତବ୍ୟକ୍ତ କରିଛନ୍ତି। ଶନିବାର ପୂର୍ବାହ୍ନରେ ସଦଭାବନା ସଭାଗୃହ ପରିସରରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାହୁ ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ଭାବେ ପରିଚିତ। ବିଭିନ୍ନ ବିପର୍ଯ୍ୟୟ କୁ ଚିହ୍ନଟ କରାଯାଇ ତାହାର ପ୍ରଶମନ ପାଇଁ ପଦକ୍ଷେପ ନିଆଯାଉଛି। ତେବେ ବିପର୍ଯ୍ୟୟ ର ମୁକାବିଲା ପାଇଁ ଉପଯୁକ୍ତ ଯୋଜନା, ବ୍ୟାପକ ସଚେତନତା, ବିପର୍ଯ୍ୟୟ ପୂର୍ବରୁ ସତର୍କତା, ଉଦ୍ଧାର, ଓ ପରେ ଥଇଥାନ ଓ ସହଯୋଗ ପାଇଁ ଜନ ଜାଗରଣ ଏହି ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିବା ସହ ସମସ୍ତ ଜୀବନ ମୂଲ୍ୟବାନ ଏହାର ସୁରକ୍ଷା ସମସ୍ତ ଙ୍କ ଦାୟିତ୍ୱ ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କୈଳାସ ଚନ୍ଦ୍ର ନାୟକ ପ୍ରାକୃତିକ ବିପର୍ଯ୍ୟୟ ଆମ ହାତରେ ନ ଥିଲେ ମଧ୍ୟ ଏହାର ପରିମାଣ ଓ କ୍ଷୟକ୍ଷତି ହ୍ରାସ ଆମ ଦ୍ଵାରା ସମ୍ଭବ ହୋଇ ପାରିବ।ତେଣୁ ପ୍ରତ୍ୟେକ ବ୍ୟକ୍ତି ବିଭିନ୍ନ ବିପର୍ଯ୍ୟୟ ସମ୍ପର୍କରେ ଅବଗତ ହୋଇ ତାହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଥିଲେ ।

ପୌରନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ ବାଲ୍ୟ ଅବସ୍ଥା ରୁ ପିଲା ମାନଙ୍କୁ ବିବିଧ ବିପର୍ଯ୍ୟୟ ପରିଚାଳନା ର ବ୍ୟାବହାରିକ ଜ୍ଞାନ ସମ୍ପର୍କରେ ସଚେତନ କରାଯିବା ସହ ପ୍ରକୃତି ର ସନ୍ତୁଳନ କୁ ବଜାୟ ରଖିଲେ ବିପର୍ଯ୍ୟୟ ମୁକାବିଲା ସହଜ ହୋଇ ପାରିବ ବୋଲି ଆହ୍ୱାନ ଦେଇଥିଲେ।ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ବିଶ୍ୱଜିତ ସାହୁ, ନୋଡ଼ାଲ ଏନ ଜି ଓ ସୋଲାର ର ସମ୍ପାଦକ ଶ୍ରୀ ହରିଶ ଚନ୍ଦ୍ର ଦାସ, ଏ ବି ସି ଡି ର ସମ୍ପାଦକ ଶ୍ରୀ ସୁଧାକର ଭୋଳ ପ୍ରମୁଖ ଯୋଗ ଦେଇ ବିପର୍ଯ୍ୟୟ ର କାରଣ, ନିରାକରଣ, ସତର୍କତା ଓ ସଚେତନତା ସମ୍ପର୍କରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଉପସ୍ଥିତ ସମସ୍ତ ଙ୍କୁ ବିପର୍ଯ୍ୟୟ ପ୍ରଶମନର ଶପଥ ପାଠ କରାଇଥିଲେ। ପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଜିଲ୍ଲା ସଂଯୋଜକ ଶ୍ରୀ ଆଶୁତୋଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବାହ୍ନରେ ସିଂହଦ୍ୱାର ଠାରୁ ଗାନ୍ଧୀ ଘାଟ ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।ଗାନ୍ଧୀ ଘାଟଠାରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ମାଲ୍ୟାର୍ପଣ କରିବା ସହ ଆଜିର ଦିବସ ର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ବିପର୍ଯ୍ୟୟ ର ମୁକାବିଲା ପାଇଁ ବିବିଧ କୌଶଳ ଓ ଉପାୟ ପ୍ରଦର୍ଶନ କରିବା ସହ ପ୍ରଶିକ୍ଷଣ ମଧ୍ୟ ଦେଇଥିଲେ।

Leave a Reply

Your email address will not be published.