ହତ୍ୟାକାଣ୍ଡରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟି ଯାଇଛି ହୃଦୟ ବିଦାରକ ଘଟଣା । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ତାଙ୍କ ପତ୍ନୀ । ଏପରି ଏକ ଅଭାବନୀୟ କାଣ୍ଡ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବାଲିଖଣ୍ଡ ବଜାର ନିକଟରେ ଘଟିଥିବା ବେଳେ ଅଭିଯୁକ୍ତଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳି ପାରିନାହିଁ। ମୃତକ ଜଣକ ହେଲେ ଆନନ୍ଦ ବିହାରୀ ପତ୍ରୀ । ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ପତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଖବର ସଂଗ୍ରହରୁ ଜଣାପଡିଛି ଆଜି ସକାଳେ ବାଲିଖଣ୍ଡ ବଜାର ନିକଟ ବିଲରେ ଉଲଗ୍ନ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପାଖକୁ ଯାଇ ମୃତକ ଜଣକ ଆନନ୍ଦ ବିହାରୀ ପତ୍ରୀ ବୋଲି ଚିହ୍ନଟ କରିଥିଲେ । ଆନନ୍ଦ ବିହାରୀଙ୍କ ଶରୀରର ବିଭିନ୍ନ ସ୍ଥାନକୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା ।ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କ ଘରକୁ ଯାଇ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲ ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କେହି ଦୁର୍ବୃତ୍ତ ରାତ୍ରି ସମୟରେ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଖବରପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବଦ କରି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.