କାମ୍ପା ଯୋଜନାରେ ଚାରା ରୋପଣ ବାଟବଣା

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ଅଧିନ ବଡ଼ବିଲ ପାହାଡ଼ କଡରେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଚାରା ରୋପଣ କରାଯାଇଛି । ୫ ହେକ୍ଟର କ୍ଷେତ୍ରଫଳ ଭିତରେ କାମ୍ପା ଯୋଜନାରେ ୨୦୨୧-୨୦୨୨ ଆର୍ଥିକ ବର୍ଷ ପାଇଁ ଶମ୍ଭାରୀ, ଲିମ୍ବ, କରଞ୍ଜ, ବାଉଁଶ, ପାହାଡି ଶିଶୁ, ଫାଶୀ, ଅସନ, ସିଧା, ଅର୍ଜୁନ, ବାହାଡା, ଜାମୁ, କଇଥ, ପଣସ, ଶିରିଷ, ମହୁଲ, ଫଣଫଣା, ବରକୋଳି ଓ ପିଆଶାଳକୁ ମିଶାଇ ୮ ହଜାର ଚାରା ସୋର ବନ୍ୟପ୍ରାଣୀ ବନାଞ୍ଚଳ, ଔପଦା ଓ ବାଲେଶ୍ଵର ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳରେ ରୋପଣ କରାଯାଇଥିବାର ସୂଚନା ଫଳକରୁ ଜଣାପଡିଛି । ହେଲେ ଏଥିପାଇଁ କେତେ ଟଙ୍କା ବ୍ୟୟ ଅଟକଳ ହୋଇଛି ତାହା ସୂଚନା ଫଳକରେ ଉଲ୍ଲେଖ ହୋଇ ନଥିବାରୁ ଯୋଜନାର କାର୍ୟ୍ୟକାରୀତା ଓ ସ୍ୱଚ୍ଛତା ନେଇ ସାଧାରଣରେ ବିଭାଗ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହି ଯୋଜନାରେ ଲଗାଯାଇଥିବା ଗଛ ଗୁଡିକ ଅଧିକାଂଶ ସ୍ଥାନରେ ଶୁଖିଯାଇ ମରିଯାଇଥିବା ବେଳେ ବହୁସ୍ଥାନରେ ଚାରା ରୋପଣ କରାଯାଇ ନଥିବାର ଅଭିଯୋଗ ହୋଇଛି । ଓଡିଶା ସରକାରଙ୍କ ବନ ବିଭାଗ ପୂରାତନ ଜଙ୍ଗଲ ସୁରକ୍ଷା ସହିତ ନୂତନ ଜଙ୍ଗଲ ସୃଷ୍ଟି କରିବା ନେଇ ବ୍ୟୟ କରୁଥିବା ଅର୍ଥ ଏଠାରେ କିପରି କାର୍ୟ୍ୟକାରୀ ହେଉଛି ଯୋଜନା ପ୍ରସ୍ତୁତ କରୁଥିବା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବାର ଅଭିଯୋଗକୁ ଏଡାଇ ଦିଆଯାଇନପାରେ । ଚାରା ରୋପଣ ପରେ ତା’ର ରକ୍ଷଣାବେକ୍ଷଣ ଦାୟିତ୍ୱ କାହା ଉପରେ ? ବନବିଭାଗ ନା ସ୍ଥାନୀୟ ଅଞ୍ଚଳବାସୀ ତାହା ମଧ୍ୟ ଅସ୍ପଷ୍ଟ । ଯଦି ଏଥିପାଇଁ କୌଣସି ଅର୍ଥ ବ୍ୟୟ ବରାଦ ହେଲାନାହିଁ, ଏତେଗୁଡିଏ ଚାରା ରୋପଣ ହେଲା କେମିତି ? କଲା କିଏ ? ତଥ୍ୟ ସଂଗ୍ରହ ନିମନ୍ତେ ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନଥିଲା । ବିଭାଗୀୟ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published.