ନୂଆ ଡିଜିପି ଭାବରେ ଦାୟିତ୍ୱ ଗ୍ରହଣ କଲେ ସୁନୀଲ ବଂଶଲ

କଟକ, (ନାଗରାଜ ନ୍ୟୁଜ): ଓଡ଼ିଶାର ନୂଆ ଡିଜିପି ଭାବରେ ଦାୟିତ୍ୱ ଗ୍ରହଣ କଲେ ସୁନୀଲ ବଂଶଲ । ୧୯୮୭ ମସିହା ବ୍ୟାଚ୍‌ ଏହି ଆଇପିଏସ ଅଧିକାରୀ ଆଜି(ଶୁକ୍ରବାର) ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । କଟକ ପୋଲିସ ମୁଖ୍ୟାଳୟରେ ନୂଆ ଡିଜିପିଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରଯାଇଛି । ସୁନୀଲଙ୍କୁ ସେଠାରେ ସ୍ୱାଗତ କରିଛନ୍ତି ବହୁ ବରିଷ୍ଠ ପୋଲିସ ଅଧିକାରୀ । ସମସ୍ତ ରେଞ୍ଜର, ଡିଜି ଓ ଡିଆଇଜି ପୋଲିସ ମୁଖ୍ୟାଳୟରେ ଉପସ୍ଥିତ ରହିଛନ୍ତି । ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି । ଏନେଇ ଗତ ଡିସେମ୍ବର ୧୫ ତାରିଖରେ ରାଜ୍ୟ ସରକାର କେନ୍ଦ୍ରୀୟ ଡେପୁଟେଶନରେ ଥିବା ୧୯୮୭ ବ୍ୟାଚ ଆଇପିଏସ ଅଫିସର ସୁନୀଲ ବଂଶଲଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ । ଗତ ୨୭ ତାରିଖରେ କେନ୍ଦ୍ର ସରକାର ବଂଶଲଙ୍କୁ କେନ୍ଦ୍ରୀୟ ଡେପୁଟେସନ ଦାୟିତ୍ୱରୁ ମୁକ୍ତ କରିଥିଲେ । ଗତ ଡିସେମ୍ବର ୮ ତାରିଖରେ ନୂଆଦିଲ୍ଲୀରେ ୟୁପିଏସସି ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ଡିଜିପି ମନୋୟନ କମିଟି ବୈଠକ ।

ବୈଠକରେ ରାଜ୍ୟର ପୋଲିସ ଡିଜି ପଦବୀ ପାଇଁ ମୋଟ ୧୨ ଜଣ ଯୋଗ୍ୟ ଆଇପିଏସଙ୍କ ନାମ ମଧ୍ୟରୁ ବରିଷ୍ଠତା ଓ ମେରିଟ୍ ଆଧାରରେ ୩ ଜଣ ଆଇପିଏସଙ୍କ ନାମ ସର୍ଟଲିଷ୍ଟ୍‌ ହୋଇଥିଲା । ସର୍ଟଲିଷ୍ଟ ତାଲିକା ରାଜ୍ୟ ସରକାରଙ୍କୁ ମିଳିଥିଲା । ତାଲିକାରେ ୧୯୮୬ ବ୍ୟାଚ୍‌ର ପ୍ରଦୀପ କପୁର, ୧୯୮୭ ବ୍ୟାଚ୍‌ର ସୁନୀଲ କୁମାର ବଂଶଲ ଓ ୧୯୮୮ ବ୍ୟାଚ୍‌ର ମନୋଜ କୁମାର ଛାବ୍ରାଙ୍କ ନାମ ରହିଥିଲା । ସୁନୀଲଙ୍କୁ ଡିଜିପି ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ । ଆଇପିଏସ ସୁନୀଲ କୁମାର ବଂଶଲ ମୟୂରଭଞ୍ଜରେ ଏସପି ଭାବେ କାର୍ଯ୍ୟ କରି ସାରିଛନ୍ତି । ଏହାପରେ ସୁନୀଲ କେନ୍ଦ୍ରୀୟ ଡେପୁଟେସନରେ ଚାଲିଯାଇଥିଲେ । ସୁନୀଲ ୨୭ ବର୍ଷରୁ ଉଧ୍ୱର୍ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ରହିଥିଲେ । ୧୯୮୮ ରେ ପ୍ରଥମେ ଢେଙ୍କାନାଳର ଅତିରିକ୍ତ ଏସପି ଭାବେ କାର୍ଯ୍ୟାରମ୍ଭ କରିଥିଲେ ସୁନୀଲ ବଂଶଲ । ୧୯୯୪ରେ କେନ୍ଦ୍ରୀୟ ଡେପୁଟେସନରେ ଚାଲିଯାଇଥିଲେ । ୨୦୨୨ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ଥିବାରୁ ବଂଶଲଙ୍କ ପାଇଁ ଏହା ଚ୍ୟାଲେଞ୍ଜପୂର୍ଣ୍ଣ ହେବ ।

Leave a Reply

Your email address will not be published.