ଆଜିଠାରୁ ଆରମ୍ଭ ହୋଇଛି ଦଶମ ସମେଟିଭ-୧ ପରୀକ୍ଷା

କଟକ, (ନାଗରାଜ ନ୍ୟୁଜ): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଆଜି ଠାରୁ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା । ୫ ରୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ପରୀକ୍ଷା ଚାଲିବ । ପ୍ରଥମ ତିନି ଦିନ ଥିଓରୀ ପରୀକ୍ଷା ଦୁଇଟି ସିଟିଂରେ ହେବ ଏବଂ ଶେଷ ଦିନ (୮ ତାରିଖ ଦିନ) କେବଳ ପ୍ରାଟିକାଲ ପରୀକ୍ଷା କରାଯିବ । ପରୀକ୍ଷା ପାଇଁ ରାଜ୍ୟରେ ୩୦୯୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ୩୧୧ ନୋଡାଲ ସେଣ୍ଟର କରାଯାଇଛି । ମୋଟ ୫ ଲକ୍ଷ ୭୬ ହାଜର ୨୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସକାଳ ସାଢେ ୮ ଟା ବେଳେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରଗୁଡିକୁ ପଠାଯାଇଛି ।

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଛି ଏବଂ ପ୍ରତିଦିନ ମଧ୍ୟ ଏହା କରାଯିବ । ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦିଆଯାଇଛି । କପି ରୋକିବା ପାଇଁ ମୋଟ ୭୨ ଟି ସ୍କ୍ବାର୍ଡ ଗଠନ କରାଯାଇଥିବା ବେଳେ ୪୦ଟି ସେଣ୍ଟ୍ରାଲ ସ୍କ୍ବାର୍ଡ ମଧ୍ୟ ଗଠନ କରାଯାଇ ଛି। ପରୀକ୍ଷା କେନ୍ଦ୍ରଗୁଡିକୁ ମୋବାଇଲ ମନା ହୋଇଛି । ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟମାନେ ମଧ୍ୟ ପରୀକ୍ଷା ହଲକୁ ଯିବା ପୂର୍ବରୁ ନିଜ ମୋବାଇଲକୁ ଲକରରେ ରଖି ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published.