କୌପୀନଧାରୀ ଏବଂ ବକ୍କଳଧାରୀ ମହିମା ସମାଜର ସାଧୁଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କନାଳ ଜିଲ୍ଲା ଗସ୍ତ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଯୋରନ୍ଦା ମହିମାଗାଦି ପରିଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସେଠାରେ କୌପୀନଧାରୀ ମହିମା ସମାଜ ଏବଂ ବକ୍କଳଧାରୀ ମହିମା ସମାଜର ସାଧୁ ସନ୍ଥ ମାନଙ୍କ ସହ ପୁରାତନ ମନ୍ଦିର ଭଙ୍ଗାଯିବା କାରଣରୁ ଉତ୍ପନ୍ନ ହୋଇଥିବା ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଉଭୟ ସମାଜର ସାଧୁ ସନ୍ଥ ମାନଙ୍କୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରିବା ପାଇଁ ଶ୍ରୀ ପ୍ରଧାନ ନିବେଦନ କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ମହିମା ସ୍ୱାମୀଙ୍କର ବାର୍ତ୍ତା, ସନ୍ଥ କବି ଭୀମ ଭୋଇଙ୍କ ପ୍ରଚାର ଯୋଗୁଁ ବିଶେଷ ଭାବରେ ଗରିବ ଶ୍ରେଣୀ, ବଞ୍ଚିତ ବର୍ଗର ଲୋକମାନେ ଏହି ଆଧ୍ୟାତ୍ମିକ ଦୁନିଆ, ପରମ୍ପରା ତଥା ବ୍ୟବସ୍ଥା ସହ ଯୋଡ଼ି ହୋଇଛନ୍ତି । ମହିମା ଗୋସାଇଁ, ସନ୍ଥକବି ଭୀମ ଭୋଇଙ୍କର ଉକ୍ତି ବିଶ୍ୱରେ ପ୍ରଭାବ ପକାଇଛି । ମହିମାଗାଦିର ଅମୂଲ୍ୟ ସମ୍ପତ୍ତିକୁ ଭବିଷ୍ୟତ ପିଢି ପାଇଁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ । ଯୋରନ୍ଦା, ମହିମା ଧର୍ମର ଧାର୍ମିକ ଓ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଭାବରେ ଅନ୍ୟତମ ।

ମହିମାଗାଦି ସମାଜରେ ଶୂନ୍ୟ ଭଗବାନଙ୍କ ପାଖରେ ବିଶ୍ୱାସ ରଖିବା ଓ ସମାଜସେବା କରିବାର ମହତ ବାର୍ତ୍ତା ପ୍ରଚାର କରି ଆସୁଛି । ଆଜି ଏହି ମହିମାଗାଦିକୁ ଦର୍ଶନ କରିବା ସହ ମହିମା ସାଧୁ ସନ୍ଥ ମାନଙ୍କ ଆଶୀର୍ବାଦ ନେବାର ସୌଭାଗ୍ୟ ଲାଭ କରିଥିବା କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି ମଧ୍ୟ କହିଛନ୍ତି ।ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବର ୨୩ ତାରିଖରେ ଶ୍ରୀ ପ୍ରଧାନ ମହିମାଗାଦିରେ ପୁରାତନ ମନ୍ଦିର ଭଙ୍ଗାଯିବା ଘଟଣାରେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଥିଲେ । ଏହି ଘଟଣା ଦେଶର ମହିମା ଧର୍ମାବଲମ୍ୱୀଙ୍କ ଆସ୍ଥା ଓ ବିଶ୍ୱାସକୁ ବହୁତ ଆଘାତ୍ ଦେଇଥିବା ବେଳେ ରାଜ୍ୟ ସରକାର ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପାଇଲା ପରେ ପ୍ରଥମେ ପରମ ପୂଜ୍ୟ ସାଧୁ ସନ୍ଥ ମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ପରେ ପଦକ୍ଷେପ ନେଇଥିଲେ ଉଚିତ୍ ହୋଇଥାନ୍ତା ବୋଲି ସେ ଟ୍ୱିଟ୍ କରିଥିଲେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.